ମୁମ୍ବାଇ: ଉତ୍ତରାଖଣ୍ଡରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଗାୟକ ଦଲେର ମେହେନ୍ଦୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ସୁବୋଧ ଉନିୟାଲ ଅଟକାଇ ଦେଇଥିଲେ ଏବଂ ତାଙ୍କ ଉପରେ ମଦ୍ୟପାନ କରିଥିବାର ଅଭିଯୋଗ ଲଗାଇଥିଲେ। ଏହି ଅଭିଯୋଗର ସତ୍ୟତା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ଏହି ଘଟଣା ପରେ ବରିଷ୍ଠ ଅଭିନେତା ଅନୁପମ ଖେର ଗାୟକ ଦଲେର ମେହେନ୍ଦୀଙ୍କ ସମର୍ଥନରେ ବାହାରିଛନ୍ତି। ଅକ୍ଟୋବର ୧୮ ତାରିଖରେ ନୂଆ ଟେହରିଠାରେ ଆୟୋଜିତ ସିଦ୍ଧପୀଠ ମା’ କୁଞ୍ଜାପୁରୀ ପର୍ଯ୍ୟଟନ ଓ ବିକାଶ ମେଳାରେ ଦଲେର ମେହେନ୍ଦୀ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ବେଳେ ମନ୍ତ୍ରୀ ଉନିୟାଲ ମଞ୍ଚ ଉପରକୁ ଯାଇ ତାଙ୍କୁ ଅଟକାଇ ଦେଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ମନ୍ତ୍ରୀଙ୍କୁ ଦଲେର ମେହେନ୍ଦୀଙ୍କୁ କହୁଥିବାର ଶୁଣିବାକୁ ମିଳୁଛି ଯେ, ସେ ନିଶାଗ୍ରସ୍ତ ଅଛନ୍ତି ଏବଂ ନିଜକୁ ହାସ୍ୟାସ୍ପଦ କରୁଛନ୍ତି। ଉନିୟାଲ ଏହା ମଧ୍ୟ ପ୍ରଶ୍ନ କରିଥିଲେ ଯେ, ଯେତେବେଳେ ଗାୟକ ଜଣକ ଠିକ୍ ଭାବରେ କଥା ମଧ୍ୟ କହିପାରୁନାହାନ୍ତି, ସେତେବେଳେ ସେ କିପରି ଗୀତ ଗାଇପାରିବେ ଦର୍ଶକଙ୍କ ସାମ୍ନାରେ ଘଟିଥିବା ଏହି ଘଟଣା ସମୟରେ ଦଲେର ମେହେନ୍ଦୀଙ୍କୁ ବିଭ୍ରାନ୍ତ ଓ ଅସ୍ୱସ୍ତିକର ଅବସ୍ଥାରେ ଦେଖିବାକୁ ମିଳିଥିଲା। “ଏକ୍ସ’ ରେ ଏକ ପୋଷ୍ଟ ଏବଂ ଭିଡିଓ ମାଧ୍ୟମରେ ପ୍ରତିକ୍ରିୟା ଦେଇ ଅନୁପମ ଖେର କହିଛନ୍ତି ଯେ, ସର୍ବସାଧାରଣରେ ଦଲେର ମେହେନ୍ଦୀଙ୍କୁ ଅପମାନିତ ହେବାର ଦେଖି ସେ ବହୁତ ଦୁଃଖିତ ହୋଇଛନ୍ତି। ସେ କହିଛନ୍ତି ଯେ, ସେ ଦଲେର ମେହେନ୍ଦୀଙ୍କୁ ୨୫ ରୁ ୩୦ ବର୍ଷ ଧରି ଜାଣନ୍ତି ଏବଂ ବ୍ୟକ୍ତିଗତ ଭାବେ ଜାଣନ୍ତି ଯେ ସେ ମଦ୍ୟପାନ କରନ୍ତି ନାହିଁ। ଅନୁପମ ଖେର ଦଲେର ମେହେନ୍ଦୀଙ୍କୁ ଅତ୍ୟନ୍ତ ଭଲ ମଣିଷ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଗତ ଦୁଇ-ତିନି ବର୍ଷ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଅନୁପମ ଖେର କହିଛନ୍ତି, କାହା ସହ ଏଭଳି କଥା ହେବା ଉଚିତ୍ ନୁହେଁ, ବିଶେଷକରି ସର୍ବସାଧାରଣ ମଞ୍ଚରେ। ଏହା ଠିକ୍ ନୁହେଁ। କାହାକୁ ସର୍ବସାଧାରଣରେ ଏଭଳି ଅଭିଯୁକ୍ତ କରିବା ଭୁଲ୍ ଅଟେ। ଦଲେର ଜୀ, ମୁଁ ବହୁତ ଦୁଃଖିତ ବୋଲି ଖେର୍ କହିଲେ। ଉନିୟାଲଙ୍କୁ ସିଧାସଳଖ ଉଦ୍ଦେଶ୍ୟ କରି ଅଭିନେତା ଜଣକ କହିଲେ ଯେ, ମନ୍ତ୍ରୀ ମେହେନ୍ଦୀଙ୍କ ପ୍ରଦର୍ଶନକୁ ନେଇ ଚିନ୍ତିତ କିମ୍ବା ଅସନ୍ତୁଷ୍ଟ ହୋଇପାରନ୍ତି, କିନ୍ତୁ ସେ ମଞ୍ଚ ଉପରକୁ ଯାଇ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଭର୍ତ୍ସନା କରିବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ। ଖେର୍ କହିଲେ ଯେ, କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କ ସାମ୍ନାରେ ମେହେନ୍ଦୀଙ୍କୁ ଅପମାନିତ କରିବା ପରିବର୍ତ୍ତେ, ଏହି କଥା ତାଙ୍କୁ ବ୍ୟକ୍ତିଗତ ଭାବେ ଏବଂ ସମ୍ମାନର ସହ ଜଣାଇ ଦିଆଯାଇ ପାରିଥାନ୍ତା।
