ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱର୍ଗତ ପିତାଙ୍କ ବିଷୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ସୋମବାର ଦିନ ଦେଶବ୍ୟାପୀ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ଏବଂ ଖାର୍ଗେ କ୍ଷମା ମାଗିବା ସହ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି। ରବିବାର ଦିନ ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ବିବାଦର ସୂତ୍ରପାତ ହୋଇଥିଲା। ସେଠାରେ ଜଣେ ଦର୍ଶକ କହିଥିଲେ ଯେ ପ୍ରଧାନମନ୍ତ୍ରୀ କୁଆଡ଼େ ଯିବେ ନାହିଁ (ଅର୍ଥାତ୍ କ୍ଷମତାରେ ରହିବେ), ଯାହାର ଉତ୍ତରରେ ଖାର୍ଗେ କହିଥିଲେ, “ମୋଦୀ କା ବାପ୍ ଭି ଯାଏଗା’ (ମୋଦୀଙ୍କ ବାପା ମଧ୍ୟ ଚାଲିଯିବେ)। ବିଜେପି ନେତାମାନେ ଏହି ମନ୍ତବ୍ୟକୁ ଅଶାଳୀନ ଏବଂ ଆପତ୍ତିଜନକ ବୋଲି କହି ନିନ୍ଦା କରିଛନ୍ତି। ବିହାରରେ ବିଜେପି ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରା ବାହାର କରି ଖାର୍ଗେଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ କଂଗ୍ରେସ ସଭାପତିଙ୍କ ଏକ ପୁତ୍ତଳିକା ପୋଡ଼ି ଦେଇଥିଲେ। ଜମ୍ମୁରେ ମଧ୍ୟ ସମାନ ଧରଣର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା, ଯେଉଁଠାରେ ଦଳୀୟ କର୍ମୀମାନେ ଖାର୍ଗେଙ୍କ ପୋଷ୍ଟର ପୋଡ଼ି ଦେଇଥିଲେ। ବେଙ୍ଗାଲୁରୁର ଫ୍ରିଡମ୍ ପାର୍କରେ ମଧ୍ୟ ଏକ ବଡ଼ ଧରଣର ବିରୋଧ ପ୍ରଦର୍ଶନ କରାଯାଇଥିଲା, ଯେଉଁଠାରେ ବିଜେପି କର୍ମୀମାନେ ଖାର୍ଗେଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ। ଦିଲ୍ଲୀ, ମୁମ୍ବାଇ, ପାଟନା, ରାଞ୍ଚି ଏବଂ କୋଲକାତା ଭଳି ପ୍ରମୁଖ ସହରଗୁଡ଼ିକରେ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ମନ୍ତବ୍ୟ ପାଇଁ ବିଜେପି, ଖାର୍ଗେଙ୍କୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ମଧ୍ୟ କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱର୍ଗତ ପିତାଙ୍କ ବିଷୟରେ କରାଯାଇଥିବା ଏହି ଟିପ୍ପଣୀ ତାଙ୍କୁ ଗଭୀର ଆଘାତ ଦେଇଛି। ସେ ସମାଲୋଚନା କରି କହିଛନ୍ତି ଯେ, ଯେଉଁ ଦଳ ନିଜକୁ ଦେଶର ସବୁଠାରୁ ପୁରୁଣା ରାଜନୈତିକ ସଂଗଠନ ବୋଲି ଦାବ କଂଗ୍ରେସ ସଭାପତିଙ୍କ ପୁଅ ତଥା କର୍ଣ୍ଣାଟକର ମନ୍ତ୍ରୀ ପ୍ରିୟଙ୍କ ଖାର୍ଗେ, ବିଜେପିର ସମାଲୋଚନାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ବିଜେପିର ଅଣ-ପ୍ରସଙ୍ଗକୁ ବିବାଦୀୟ କରିବାର ଏକ ପ୍ରବୃତ୍ତି ରହିଛି। ସେ ଯୁକ୍ତି ବାଢ଼ିଛନ୍ତି ଯେ ବିଜେପି ନେତାମାନେ ନିଜେ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଲେ, ଆମକୁ ସେମାନଙ୍କଠାରୁ ସଂସ୍କୃତି ଶିଖିବାର ଆବଶ୍ୟକତା ନାହିଁ। “ଇଣ୍ଡିଆ’ ମେଣ୍ଟର ଅଂଶ ଥିବା ରାଷ୍ଟ୍ରୀୟ ଜନତା ଦଳର ସାଂସଦ ମନୋଜ ଝା କହିଛନ୍ତି ଯେ ମଲ୍ଲିକାର୍ଜୁନ ଖାର୍ଗେଙ୍କଠାରୁ ଏଭଳି ଆଚରଣ ଆଶା କରାଯାଏ ନାହିଁ ଏବଂ ଏହି ବିଷୟରେ କୌଣସି ମତଭେଦ ରହିପାରିବ ନାହିଁ। ତେବେ, ସେ ଯୁକ୍ତି କରିଛନ୍ତି ଯେ ବିଜେପିର ଏହି କ୍ରୋଧ କେବଳ ନିର୍ଦ୍ଦିଷ୍ଟ ଘଟଣା ପାଇଁ ସୀମିତ ହେବା ଉଚିତ୍ ନୁହେଁ। ମନୋଜ ଝା କହିଛନ୍ତି ଯେ ଅତୀତରେ ଯେତେବେଳେ ବିଜେପି ନେତାମାନେ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିଷୟରେ ମନ୍ତବ୍ୟ ଦେଇଥିଲେ, ସେତେବେଳେ ଗଣମାଧ୍ୟମ କିମ୍ବା ଅନ୍ୟ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଏଭଳି ପ୍ରତିକ୍ରିୟା ଦେଖିବାକୁ ମିଳି ନଥିଲା।
