ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସଂସଦୀୟ ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି। ଏହି ଦଳଗୁଡ଼ିକରେ ରୁଷିଆ, ଚୀନ୍, ଇରାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଦେଶଗୁଡ଼ିକ ଅନ୍ତର୍ଭୁକ୍ତ ଥିଲେ। ଏହି ଅବସରରେ ସେମାନେ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତାମତ ଆଦାନପ୍ରଦାନ କରିଥିଲେ। ଏଠାରେ ଥିବା ସମ୍ବିଧାନ ସଦନରେ ଆୟୋଜିତ ୧୨ତମ ବ୍ରିକ୍ସ ସଂସଦୀୟ ଫୋରମ୍ରେ ବ୍ରିକ୍ସ ସଦସ୍ୟ ତଥା ଅଂଶୀଦାର ଦେଶଗୁଡ଼ିକର ସଂସଦୀୟ ନେତାମାନେ ଏକତ୍ରିତ ହୋଇଛନ୍ତି। ଏଠାରେ ସଂସଦୀୟ ସହଯୋଗକୁ ସୁଦୃଢ଼ କରିବା ଏବଂ ଜନକୈନ୍ଦ୍ରିକ ବିକାଶକୁ ଆଗକୁ ବଢ଼ାଇବା ଉପରେ ଆଲୋଚନା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ “ଏକ୍ସ’ (ଟ୍ୱିଟର) ରେ ଏକ ପୋଷ୍ଟ କରି କହିଛନ୍ତି, “ଦିଲ୍ଲୀରେ ଆୟୋଜିତ ୧୨ତମ ବ୍ରିକ୍ସ ସଂସଦୀୟ ଫୋରମ୍ ସମୟରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସାଂସଦମାନଙ୍କ ସହ ବେଶ୍ ଭଲ ଆଲୋଚନା ହେଲା। ଆମେ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତାମତ ଆଦାନପ୍ରଦାନ କଲୁ।’ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କଂଗ୍ରେସ ସାଂସଦ ଶଶି ଥରୁର ଏବଂ ଅନ୍ୟାନ୍ୟ ଭାରତୀୟ ସାଂସଦମାନେ ମଧ୍ୟ ବ୍ରିକ୍ସ ସଦସ୍ୟ ଓ ଅଂଶୀଦାର ଦେଶଗୁଡ଼ିକରୁ ଆସିଥିବା ସଂସଦୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଲା – ବ୍ରାଜିଲ, ରୁଷିଆ, ଚୀନ୍, ଇଜିପ୍ଟ, ୟୁଏଇ ଏବଂ ଇରାନ। ଏହା ବ୍ୟତୀତ ବେଲାରୁଷ, କ୍ୟୁବା, ଥାଇଲ୍ୟାଣ୍ଡ, ଉଗାଣ୍ଡା, ଭିଏତନାମ, ଉଜବେକିସ୍ତାନ ଏବଂ କାଜାଖସ୍ତାନ ଭଳି ଅଂଶୀଦାର ଦେଶଗୁଡ଼ିକ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି।
