ବାରିପଦା; ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ କଲେଇଜାଉ ଗ୍ରାମରେ ବିଦୁବାଗାନ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦୁଇ ରାତ୍ରି ବ୍ୟାପୀ ଆଦିବାସୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରୁ ମୋଟ ୧୬ଟି ନାଟ୍ୟ ଦଳ ଅଂଶଗ୍ରହଣ କରିଥିଲେ। ସାନ୍ତାଳୀ, ହୋ, ମୁଣ୍ଡାରୀ ଓ ମାହାଲି ଭାଷାରେ ବିଭିନ୍ନ ନାଟକ ପରିବେଷଣ କରାଯାଇଥିଲା। ଆଦିବାସୀ ସମାଜର ଭାଷା, ସଂସ୍କୃତି, ପରମ୍ପରା ଓ ଜୀବନ ଜୀବିକାକୁ ନେଇ ପରିବେଷିତ ନାଟକଗୁଡ଼ିକ ଦର୍ଶକଙ୍କ ମନ ମୋହିଥିଲା। ବୁଧବାର ସନ୍ଧ୍ୟାରେ କ୍ଲବ ସଭାପତି ଶତ୍ରୁଘ୍ନ ଟୁଡୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଭରାଣ୍ଡିଆ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀକାନ୍ତ ଗୁମୁଲିଆ, ମାଝୀବାବା ଜୁନାରାମ ଟୁଡୁ ଓ ନାୟକେବାବା ବିଁଝୁ ଟୁଡୁ ଅତିଥି ଭାବେ ଯୋଗଦେଇ ନାଟକ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଶନିବାର ବସନ୍ତ କୁମାର ସୋରେନଙ୍କ ସଭାପତିତ୍ୱରେ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସମାଜସେବୀ ବସନ୍ତ କୁମାର ପଇବର୍ତ୍ତୀ ମୁଖ୍ୟ ଅତିଥି, ଠାକୁରମୁଣ୍ଡା ସରପଞ୍ଚ ସୁଜିତ କୁମାର ଲୁଗୁନ ମୁଖ୍ୟବକ୍ତା ଏବଂ ଶିକ୍ଷାବିତ୍ ରମାକାନ୍ତ ମାର୍ଣ୍ଡି, ମାଝୀବାବା ଜୁନାରାମ ଟୁଡୁ ଓ ନାୟକେବାବା ବିଁଝୁ ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ବିଜେତା ନାଟ୍ୟ ଦଳ ଓ ଶ୍ରେଷ୍ଠ କଳାକାରମାନଙ୍କୁ ପୁରସ୍କୃତ କରିଥିଲେ।

ପ୍ରତିଯୋଗିତାରେ ଉତ୍ତର ଓଡ଼ିଶା ଗାୟାନ ଗାଉଁତା ବାଗାହି, ବାରିପଦା ପ୍ରଥମ ପୁରସ୍କାର ହାସଲ କରିଥିବାବେଳେ ବିଇଏମଏସ ଖାଞ୍ଚାର ଅପେରା ସାର୍ନାଗାଳ ଦ୍ୱିତୀୟ ଏବଂ କାଳିଆ ଷଣ୍ଢ ୟୁଥ୍ କ୍ଲବ, ବୁରୁସାହି ତୃତୀୟ ପୁରସ୍କାର ପାଇଥିଲା। ସେହିପରି ଗାତେ କଳା ଖାଟ ଗାୟାନ ଅପେରା ଚତୁର୍ଥ, ଜାନାମଆୟ ଖାଟ ଗାୟାନ ଅପେରା, ଜଡ଼ିପଦା ପଞ୍ଚମ ଓ ଷଷ୍ଠ, କିଁଝିର ଭଞ୍ଜ ବୋର୍ଡର ଖାଟ ଗାୟାନ ଅପେରା ସପ୍ତମ ଏବଂ ଭଞ୍ଜ ଦିସମ, କଟକ ବଜାର ଅଷ୍ଟମ ପୁରସ୍କାର ହାସଲ କରିଥିଲେ। ଏଥିସହ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କଳାକାରମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ‘ଗିତିଲ ଅଳାଗ’ ନାଟକ ପାଇଁ ବାସୁଦେବ ମୁର୍ମୁ ଶ୍ରେଷ୍ଠ ନାଟ୍ୟକାର, ସାଲଖାନ ହେମ୍ବ୍ରମ ଶ୍ରେଷ୍ଠ ଅଭିନେତା, ସୁଶାନ୍ତ ମୁର୍ମୁ ଶ୍ରେଷ୍ଠ ଅଭିନେତ୍ରୀ ଓ ହରିଶ ସୋରେନ ଶ୍ରେଷ୍ଠ ଖଳ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ସେହିପରି ‘ସାକ୍ଷୀ ତାହିୟେନା ହିରମ ଚିତାନରେ ମଲଙ୍ଗ ସିନ୍ଦୁରୀ’ ନାଟକ ପାଇଁ ସନାତନ ଗୋଇପାଇ ଶ୍ରେଷ୍ଠ ହାସ୍ୟ ଅଭିନେତା ଏବଂ ଜଗବନ୍ଧୁ ସିର୍କା ଶ୍ରେଷ୍ଠ ଚରିତ୍ର ଅଭିନେତା ଭାବେ ସମ୍ମାନିତ ହୋଇଥିଲେ।
ନାଟକ ପ୍ରତିଯୋଗିତାର ବିଚାରକ ଭାବେ ଛୋଟରାୟ ମୁର୍ମୁ, କୃଷ୍ଣଚନ୍ଦ୍ର ମୁର୍ମୁ, ବାଞ୍ଚା ହେମ୍ବ୍ରମ ଓ ମେଘରାୟ ମାର୍ଣ୍ଡି ଦାୟିତ୍ୱ ତୁଲାଇଥିଲେ। ଏହି ନାଟକ ପ୍ରତିଯୋଗିତା ମାଧ୍ୟମରେ ଆଦିବାସୀ ଭାଷା, କଳା ଓ ସଂସ୍କୃତିର ସୁରକ୍ଷା ସହ ଲୋକକଳାର ପ୍ରଚାରପ୍ରସାର ଦିଗରେ ଏକ ସକାରାତ୍ମକ ପ୍ରୟାସ ଦେଖିବାକୁ ମିଳିଥିଲା।
