ପୁରୀ: ବଡଦାଣ୍ଡ ସ୍ଥିତ ରାଜା ନଅର ସମ୍ମୁଖ ରଥଖଳାରେ ତିନିରଥ ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ ଆଗେଇ ଚାଲିଛି । ରଥ ନିର୍ମାଣର ୨୯ତମ ଦିବସରେ ବିଶ୍ୱକର୍ମା ସେବକ ମାନେ ରଥ ନିର୍ମାଣରେ ନିମଗ୍ନ ଅଛନ୍ତି । ତାଳଧ୍ୱଜା ରଥର ପୋଲ ଗୟଳ ର ଚିରଟ ପୂର୍ବରୁ ଚିତା କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ତିନି ରଥର ନିର୍ମାଣ କାର୍ଯ୍ୟ ସମାନ୍ତରାଳ ଭାବେ ଆଗେଇ ଚାଲିଛି। ମହାରଣା ସେବକ ମାନେ ତିନି ରଥର ଶେଷ ଗୋଟିଏ ଗୋଟିଏ ଚକର ନିର୍ମାଣ କାର୍ଯ୍ୟ ର ଶେଷ ସ୍ପର୍ଶ ଦେଉଛନ୍ତି। ଏଥିସହ ତିନିରଥର ୫ ଟି ଲେଖାଏଁ ନିର୍ମାଣ ଜାରୀ ରହିଥିବା ଜଗତପୃଷ୍ଠ ଶେଣୀର ଚଉପଟ କାର୍ଯ୍ୟ ଶେଷ କରିବା ସହ ଆଜି ତିନିରଥର ୨ ଟି ଲେଖାଏଁ ଧୂଳି ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ହୋଇଛି। ଏଥିସହ ଆଜି ଆରମ୍ଭ ହୋଇଛି ତିନି ରଥର ୨୦ ଫୁଟିଆ ‘ଚାର ପରିଛା’ ର ଚଉପଟ କାର୍ଯ୍ୟ। ଆଜି ତାଳଧ୍ୱଜ ରଥର ପୋଲ ଗୟଳ ଚିରଟ ପାଇଁ ରଥ ଅମିନ ଭୋଇ ସେବକଙ୍କ ସହାୟତାରେ ୪୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ କରତି ସେବକ ମାନେ ଆଜି ଉକ୍ତ ପୋଲ ଗୟଳ କାଠ ଚିରଟ ପୂର୍ବରୁ ଉକ୍ତ କାଠର ଉଭୟ ପଟ ବାରିସିରେ ହାଣି ସମତଳ କାର୍ଯ୍ୟ ବା ଚିତା କାର୍ଯ୍ୟ ଆରମ୍ଭ କରିଛନ୍ତି।

ତିନିରଥର ରୂପକାର ସେବକ ମାନେ ତିନି ରଥର ସାଲ ଗୁଜ ଏବଂ ତୀଖ ଗୁଜ ରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି। ଦୋଳ ବେଦୀ ଠାରେ ପାହି ମହାରଣା ମାନେ ଅଣସର ତଥା ରଥ ଯାତ୍ରାରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା , ଯୋଖା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ତିନି ରଥର ମହାରଣା ସେବକ ୭୭ ଜଣ,ତିନି ରଥର ଭୋଇ ସେବକ ୭୭ ଜଣ,ତିନି ରଥ କରତି ସେବକ ୪ ଜଣ, ତିନିରଥ ରୂପକାର ସେବକ ୨୧ ଜଣ,ତିନିରଥ ଓଝା କମାର ସେବକ ୨୦ ଜଣ ,ତୁମ୍ବ ବିନ୍ଧ କାରିଗର ୨ ଜଣ,ପାହି ମହାରଣା ୨ ଜଣ ଓ ରଥ ଖଳା ସହାୟକ ୧ ଜଣ ସମୁଦାୟ ୨୦୪ ଜଣ ରଥ ନିର୍ମାଣକାରୀ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣରେ ନିମଗ୍ନ ଅଛନ୍ତି ।
