ବାରିପଦା; ସାପ ନାଁ ଶୁଣିଲେ ଅନେକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ। ହେଲେ ମୟୂରଭଞ୍ଜ ଜିଲ୍ଲା,ମୋରଡ଼ାରେ ଦେଖିବାକୁ ମିଳିଛି ଏକ ନିଆରା ଧାର୍ମିକ ପରମ୍ପରା। ମାନସିକ ପୂରଣର ବିଶ୍ୱାସ ନେଇ ମା’ ମନସାଙ୍କ ପୂଜାରେ ଯୋଗ ଦେଉଛନ୍ତି ଶ୍ରଦ୍ଧାଳୁ। ଏପରିକି ଘଟ ଉତ୍ତୋଳନ ସମୟରେ କେତେକ ମାନସିକ ଧାରୀଙ୍କ ବେକରେ ଜୀବନ୍ତ ସାପ ଦେଖିବାକୁ ମିଳିଛି। ଏହି ପରମ୍ପରାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଜୀବନ୍ତ ବିଷଧର ସାପ ସହ ଏଭଳି ଆଚରଣ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି। ମୟୂରଭଞ୍ଜ ଜିଲ୍ଲା,ମୋରଡ଼ା ବ୍ଲକ, ଚିକିଟାମାଟିଆ ପଞ୍ଚାୟତ ଅନ୍ତର୍ଗତ ଫୁଲଝରି ଗ୍ରାମରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ ମନସା ଦେବୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ। ପ୍ରତିବର୍ଷ ଡାକ ସଂକ୍ରାନ୍ତି ଅବସରରେ ଆୟୋଜିତ ଏହି ପୂଜାର ଏକ ନିଆରା ବିଶେଷତ୍ୱ ରହିଛି। ପରମ୍ପରା ଅନୁଯାୟୀ, ମାନସିକଧାରୀ ମହିଳା ଓ ପୁରୁଷ ମାନେ ମୁଣ୍ଡରେ କଳସ ଧାରଣ କରି ଗାଁ ପୋଖରୀରୁ ଜଳ ଆଣିବାକୁ ଯାଇଥାନ୍ତି। ଏହି ସମୟରେ କେତେକ ଶ୍ରଦ୍ଧାଳୁଙ୍କ ବେକରେ ଜୀବନ୍ତ ସାପ ଗୁଡ଼ାଇ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳେ। ମା’ଙ୍କ ସ୍ତୁତିଗାନ କରି ଶ୍ରଦ୍ଧାଳୁ ମାନେ ପୂଜା ମଣ୍ଡପରେ ପହଞ୍ଚିବା ପରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ। ନିଜ ନିଜର ମନସ୍କାମନା ପୂରଣ ଆଶାରେ ଦୂରଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ମା’ ମନସାଙ୍କ ପ୍ରତି ଗଭୀର ଆସ୍ଥା ଓ ବିଶ୍ୱାସ ରଖି ଭକ୍ତମାନେ ଏହି ପୂଜାରେ ସାମିଲ ହୁଅନ୍ତି। ଚିକିଟାମାଟିଆ ସମିତି ସଭ୍ୟ ଉପେନ୍ଦ୍ର ମହାନ୍ତଙ୍କ ଆୟୋଜନରେ ହେଉଥିବା ଏହି ପୂଜାରେ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗ ରହିଥାଏ। ପିଢ଼ି ପରେ ପିଢ଼ି ଚାଲିଆସୁଥିବା ଏହି ପରମ୍ପରା ଗ୍ରାମର ଧାର୍ମିକ ଓ ସାଂସ୍କୃତିକ ଜୀବନ ସହ ଜଡ଼ିତ ହୋଇରହିଛି। ତେବେ ଧାର୍ମିକ ଆସ୍ଥା ଓ ପରମ୍ପରା ନିଜ ସ୍ଥାନରେ ଥିବାବେଳେ ଜୀବନ୍ତ ବିଷଧର ସାପ ସହ ଏଭଳି ନିକଟତର ହେବା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ସାପ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ସାପକୁ ଧରିବା କିମ୍ବା ତାହା ସହ ଅସୁରକ୍ଷିତ ଭାବେ ନିକଟତର ହେବା ଉଚିତ ନୁହେଁ। ସାପ କାମୁଡ଼ିଲେ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ନେବା ଆବଶ୍ୟକ। ପରମ୍ପରାର ସୁରକ୍ଷା ସହ ମଣିଷ ଓ ବନ୍ୟଜୀବଙ୍କ ସୁରକ୍ଷା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ତେଣୁ ଧାର୍ମିକ ବିଶ୍ୱାସକୁ ସମ୍ମାନ ଦେବା ସହ ସାପ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
