କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରବିବାର ଦିନ ସୂଚନା ଦେଇଛନ୍ତି ଯେ, ଉତ୍ତର କୋଲକାତାର ଚୋରବାଗାନ ସ୍ଥିତ ଏକ ଦୁର୍ଗା ପୂଜା ପେଣ୍ଡାଲରେ ଘଟିଥିବା ଦଳାଚକଟା ଘଟଣାରେ ଅନେକ ମହିଳାଙ୍କ ସମେତ ଅତିକମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି। ଅଧିକାରୀ ରାତିରେ ଘଟଣାସ୍ଥଳ ଏବଂ କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିଥିଲେ। ସେ ପୀଡ଼ିତମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ, ସେ ଘୋଷଣା କରିଛନ୍ତି ଯେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ôଥକ ସହାୟତା ଏବଂ ସରକାରୀ ଚାକିରି (ଗ୍ରୁପ୍-ଡି) ପ୍ରଦାନ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆହତମାନଙ୍କ ଚିକିତ୍ସା ପାଇଁ ହେଉଥିବା ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ଏବଂ ସେମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ମଧ୍ୟ ଦିଆଯିବ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଅଧିକାରୀ କହିଲେ, ଏହା ଏକ ଦୁଃଖଦ ଘଟଣା। ୧୯ ଜଣଙ୍କର ମୃତ୍ୟୁ ହୋଇଛି, ସେମାନଙ୍କ ମଧ୍ୟରୁ ୧୭ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ୨୫ ଜଣ ଆହତ ହୋଇଛନ୍ତି; ସେମାନଙ୍କ ମଧ୍ୟରୁ ୨୪ ଜଣ ବିପଦମୁକ୍ତ ଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସରକାର ଯଥାସମ୍ଭବ ସମସ୍ତ ପ୍ରୟାସ କରୁଛନ୍ତି।’ସେ ଆହୁରି ମଧ୍ୟ କହିଲେ, କ୍ଷତିଗ୍ରସ୍ତ ପରିବାରର ୧୩ ଜଣ ସଦସ୍ୟ ମୋତେ ଭେଟିଥିଲେ ଏବଂ ସରକାରଙ୍କ ଉପରେ ନିଜର ବିଶ୍ୱାସ ପ୍ରକଟ କରିଥିଲେ… କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ କରାଯାଇଛି। ଆମେ ସମସ୍ତ କ୍ଷତିଗ୍ରସ୍ତ ପରିବାର ସହିତ ରହିଛୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଏକ “ତଥ୍ୟ ଅନୁସନ୍ଧାନ କମିଟି’ ଗଠନ କରିବାକୁ ଅନୁରୋଧ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ମୁଖ୍ୟ ସଚିବଙ୍କ ଠାରୁ ଏକ ରିପୋର୍ଟ ମାଗିଥିଲା, ଯାହା ପୂର୍ବରୁ ଦାଖଲ କରାଯାଇସାରିଛି। ଏହା ବ୍ୟତୀତ, ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ପରସ୍ପର ସହ ସମନ୍ୱୟ ରକ୍ଷା କରୁଛନ୍ତି ବୋଲି ସେ କହିଛନ୍ତି। ଅଧିକାରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ପୂର୍ବ ସରକାର ସମୟରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ସେ ଅଭିଯୋଗ କରିଛନ୍ତି ଯେ କିଛି ଲୋକ ଏହି ପ୍ରସଙ୍ଗକୁ ରାଜନୈତିକ ରୂପ ଦେବାକୁ ଚେଷ୍ଟା କରୁଛନ୍ତି।
