ଗ୍ୱାଲିୟର: ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ମନ୍ଦିର ନିକଟରେ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଭକ୍ତମାନଙ୍କ ଉପରେ ମାଡ଼ିଯିବା ଫଳରେ ଅତିକମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାଟି ଶୀତଳା ମାତା ମନ୍ଦିର ନିକଟରେ ଭୋର ପ୍ରାୟ ୧ଟା ୩୦ ମିନି ସମୟରେ ଘଟିଥିଲା। ଧାନ ବୋଝେଇ ଏକ ଟ୍ରକ୍ ଏକ ଢାଲୁ ରାସ୍ତାରେ ଯିବା ସମୟରେ ନିୟନ୍ତ୍ରଣ ଓ ଦିଗ ହରାଇ ପୋଲିସ ଯାଞ୍ଚ ପଏଣ୍ଟ ଭାଙ୍ଗି ମନ୍ଦିରର ଗେଟ୍ ଓ ବାହାର କାନ୍ଥରେ ପିଟି ହୋଇଯାଇଥିଲା। ଘଟଣା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଗ୍ୱାଲିୟରର ବରିଷ୍ଠ ପୋଲିସ ଅଧୀକ୍ଷକ ଧର୍ମବୀର ସିଂହ କହିଛନ୍ତି ଯେ, ନବରାତ୍ରି ପର୍ବ ଚାଲିଥିବାରୁ ମନ୍ଦିର ନିକଟରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ। ସେ କହିଛନ୍ତି ଯେ, ଏହି ଢାଲୁ ରାସ୍ତା ଦେଇ ଭାରୀ ଯାନ ଚଳାଚଳ ଉପରେ କଟକଣା ରହିଥିଲା। ଏସ୍ଏସ୍ପି ସିଂହ କହିଛନ୍ତି, “ଟ୍ରକ୍ଟି ପୋଲିସ ବ୍ୟାରିକେଡ୍ ଭାଙ୍ଗି ହଠାତ୍ ନିୟନ୍ତ୍ରଣ ହରାଇ ତଳକୁ ଖସି ଆସିଥିଲା ଏବଂ ମନ୍ଦିରର ବାହାର କାନ୍ଥ ଓ ଗେଟ୍ରେ ପିଟି ହୋଇଯାଇଥିଲା।

ରାସ୍ତାରେ ଥିବା ଭକ୍ତମାନେ ଏହା ତଳେ ଚାପି ହୋଇଯିବାରୁ ଏହି ଦୁର୍ଘଟଣା ଘଟିଛି।’ ଏସ୍ଏସ୍ପିଙ୍କ ସୂଚନା ଅନୁଯାୟୀ, ଆହତ ହୋଇଥିବା ୩୯ ଜଣଙ୍କ ମଧ୍ୟରୁ ୫ରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହି ଘଟଣାରେ ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣା ପାଇଁ ପ୍ରଶାସନକୁ ଦାୟୀ କରି ପ୍ରଶ୍ନ ଉଠାଇଛନ୍ତି ଯେ, ଟ୍ରକ୍?ଟିକୁ କିପରି ଯାଞ୍ଚ ପଏଣ୍ଟ ଦେଇ ଯିବାକୁ ଅନୁମତି ଦିଆଗଲା। ସେ କହିଛନ୍ତି ଯେ, ଟ୍ରକ୍ଟି ହଠାତ୍ ସାମ୍ନାକୁ ଆସିଥିଲା ଏବଂ ନିୟନ୍ତ୍ରଣ ହରାଇ ଲୋକମାନଙ୍କ ଉପରେ ମାଡ଼ି ଯାଇଥିଲା, ନବରାତ୍ରି ସମୟରେ ସେହି ରାସ୍ତାରେ ଏକ ପୋଲିସ ଯାଞ୍ଚ କେନ୍ଦ୍ର ରହିଥିଲା, ତେଣୁ ଗାଡ଼ିଟି କିପରି ଭିତରକୁ ପଶିଗଲା, ତାହା ଏକ ତଦନ୍ତସାପେକ୍ଷ। ଟ୍ରକ୍ର ଯାନ୍ତ୍ରିକ ଯାଞ୍ଚ କରିବା ପାଇଁ ଆମେ ଏକ ଆରଟିଓ ଦଳ ମଧ୍ୟ ପଠାଇଛୁ, ଯାହାଫଳରେ ଜଣାପଡ଼ିବ ଯେ କ’ଣ ତ୍ରୁଟି ଦେଖାଦେଇଥିଲା ଏବଂ ଗାଡ଼ିଟି କିପରି ବାମ ପାର୍ଶ୍ୱକୁ ମୋଡ଼ି ହୋଇଗଲା। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହା ସହିତ, ସେ କହିଛନ୍ତି ଯେ ଆହତମାନଙ୍କୁ ପ୍ରତ୍ୟେକଙ୍କ ପିଛା ୫୦,୦୦୦ ଟଙ୍କା ଲେଖାଏଁ ଦିଆଯିବ।
