କୋଲକାତା: ଶନିବାର ସନ୍ଧ୍ୟାରେ କୋଲକାତାର ଏକ ସାର୍ବଜନୀନ ଦୁର୍ଗା ପୂଜା ପାଣ୍ଡାଲରେ ଘଟିଥିବା ଦଳାଚକଟା ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫ ଆହତ ହୋଇଛନ୍ତି। ଶନିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ମଧ୍ୟରେ ସହରର ଉତ୍ତର ଭାଗରେ ଥିବା ଚୋରବାଗାନ ସାର୍ବଜନୀନ ପୂଜା ପାଣ୍ଡାଲରେ ଏହି ଘଟଣା ଘଟିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବର୍ଷା ଆରମ୍ଭ ହେବା ପରେ ପାଣ୍ଡାଲ ବାହାରେ ଅପେକ୍ଷା କରିଥିବା ଲୋକମାନେ ଭିତରକୁ ଯିବା ପାଇଁ ଆଗକୁ ମାଡ଼ି ଆସିଥିଲେ। ଏହି ସମୟରେ କିଛି ଲୋକ ରାସ୍ତାରେ ପଡ଼ିଯିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେ କହିଛନ୍ତି, ଅତିକମରେ ୨୫ ଜଣଙ୍କୁ ଗୁରୁତର ଅବସ୍ଥାରେ କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଛି। ଅନେକ ଦର୍ଶନାର୍ଥୀ ଅଭିଯୋଗ କରିଛନ୍ତି ଯେ, କୋଲକାତା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯଥେଷ୍ଟ ନଥିବାରୁ ଏହି ଦଳାଚକଟା ଘଟିଛି। ଶ୍ୱାସରୁଦ୍ଧ ହେବା ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ପ୍ରାୟ ୨୫ ଜଣ ଆହତ ବ୍ୟକ୍ତିଙ୍କୁ ବୋ-ବଜାର ଥାନା ଅଞ୍ଚଳରେ ଥିବା କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଛି। ହସ୍ପିଟାଲ ଓ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆହତମାନଙ୍କ ମଧ୍ୟରୁ କିଛି ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
