ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟର ବିରାଟ କୋହଲି ରବିବାର ନୂଆ ଇତିହାସ ରଚିଛନ୍ତି। ଧର୍ମଶାଳାରେ ପଞ୍ଜାବ କିଙ୍ଗସ ବିପକ୍ଷରେ ଖେଳା ଯାଉଥିବା ମ୍ୟାଚ୍ରେ ତାଙ୍କ ନାଁରେ ଯୋଡ଼ି ହୋଇଛି ଏକ ନୂଆ ରେକର୍ଡ। ଆଇପିଏଲ ଇତିହାସରେ ସେ ହେଉଛନ୍ତି ଏକମାତ୍ର ବ୍ୟାଟର ଯିଏ ଗୋଟିଏ ଫ୍ରାଞ୍ଚାଇଜ୍ ପାଇଁ ଓପନର ଭାବରେ ଖେଳି ୫୫୦୦ ରନ୍ କରିଛନ୍ତି। ଆଜିର ମ୍ୟାଚ୍ ପୂର୍ବରୁ ଏହି ମାଇଲଖୁଣ୍ଟ ଛୁଇଁବା ପାଇଁ ବିରାଟ କୋହଲିଙ୍କୁ ମାତ୍ର ୭ ରନର ଆବଶ୍ୟକତା ଥିଲା। ଅଜମତୁଲ୍ଲା ଓମାରଜାଇଙ୍କ ବଲ୍ରେ ଏକ ଛକା ମାରି ସେ ଏହି ସଫଳତା ହାସଲ କରିଥିଲେ। ମୋଟାମୋଟି ଭାବେ ଦେଖି ଆଉ ଦୁଇଜଣ ବ୍ୟାଟରଶିଖର ଧୱନ ଏବଂ ଡେଭିଡ ୱାର୍ଣ୍ଣର ଆଇପିଏଲରେ ଓପନର ଭାବରେ ୫୫୦୦ ଆଇପିଏଲ ରନ୍ କରିଛନ୍ତି। କିନ୍ତୁ ଏହି ଦୁଇ କ୍ରିକେଟର ଏକାଧିକ ଫ୍ରାଞ୍ଚାଇଜ୍ ପାଇଁ ଖେଳି ଏହି ରନ୍ ସଂଗ୍ରହ କରିଛନ୍ତି। ଆଇପିଏଲରେ ବିରାଟ କୋହଲି ପ୍ରାରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିବା ବେଳେ ୯ ହଜାରରୁ ଅଧିକ ରନ୍ ସଂଗ୍ରହ କରିସାରିଲେଣି। ସେ ୨୭୯ ମ୍ୟାଚ୍ (୨୭୧ ଇନିଂସ)ରୁ ୯,୧୪୫ ରନ୍ ସଂଗ୍ରହ କରିଛନ୍ତି। ଏହା ସହିତ ଆଇପିଏଲ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହ କରିବାର ରେକର୍ଡ ତାଙ୍କ ନାଁରେ ରହିଛି। ଆଇପିଏଲରେ ସର୍ବାଧିକ ଶତକ ମାରିବାର ରେକର୍ଡ ମଧ୍ୟ ବିରାଟଙ୍କ ନାଁରେ ରହିଛି। ସେ ଏଯାବତ୍ ସେ ୯ଟି ଶତକ ଓ ୬୬ଟି ଅର୍ଦ୍ଧଶତକ ମାରିଛନ୍ତି। ଆଜି ପଞ୍ଜାବ କିଙ୍ଗସ ବିପକ୍ଷରେ ସେ ୫୮ ରନ୍ କରି ଆଉଟ୍ ହୋଇଥିଲେ। ୩୭ଟି ବଲ୍ରୁ ୪ ଚୌକା ଓ ୩ ଛକା ସହାୟତାରେ ସେ ଏହି ରନ୍ ସଂଗ୍ରହ କରିଥିଲେ।
