ଧର୍ମଶାଳା: ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଦ୍ୱାରା ପରିଚାଳିତ ଧର୍ମଶାଳା ଷ୍ଟାଡିୟମରେ ରବିବାର ପଞ୍ଜାବ କିଙ୍ଗ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୩ ରନ୍ରେ ପରାସ୍ତ କରିଛି। ପଞ୍ଜାବ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଛି। ବେଙ୍ଗାଲୁରୁ ପାଇଁ ଭୁବନେଶ୍ୱର କୁମାର ଏବଂ ରସିକ ସାଲମ ଡାର ୨-୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଜୋସ ହେଜଲଉଡ, ସୂୟାଶ ଶର୍ମା ଏବଂ ରୋମାରିଓ ଶିଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ପଞ୍ଜାବ ୨୨୩ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ବିସ୍ଫୋରକ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ ଏବଂ ଶ୍ରେୟସ ଆୟର ଶସ୍ତାରେ ଆଉଟ ହୋଇଥିଲେ। ସ୍କୋର ୧୯ ରନ୍ରେ ପଞ୍ଜାବ ଆଗଧାଡ଼ିର ୩ଜଣ ଖେଳାଳିଙ୍କୁ ହରାଇଥିଲା। ପ୍ରିୟାଂଶ ଖାତା ଖୋଲିପାରି ନଥିଲା ବେଳେ ପ୍ରଭସିମରନ ୨ ରନ୍ ଏବଂ ଶ୍ରେୟସ ମାତ୍ର ୧ ରନ୍ ସଂଗ୍ରହ କରିଥିଲେ। ନିଜ ଦଳକୁ ଜିତାଇବା ପାଇଁ ଶଶାଙ୍କ ସିଂହ ଲଢ଼ିଥିଲେ। ସେ ଅର୍ଦ୍ଧଶତକ ହାସଲ କରିଥିଲେ। ୨୭ଟି ବଲ୍ ଖେଳି ୪ଟି ଚୌକା ଏବଂ ୪ଟି ଛକା ସହାୟତାରେ ୫୬ ରନ୍ କରିଥିଲେ। କୋପର କନୋଲି ଏବଂ ମାର୍କସ ଷ୍ଟୋଇନିସ ପ୍ରତ୍ୟେକ ୩୭ ରନ୍ ଲେଖାଏଁ ଯୋଗଦାନ ଦେଇଥିଲେ। ସୂର୍ଯ୍ୟାଂଶ ଶେଡଗେ ୩୫ ରନ୍ କରିଥିଲେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୬୧ତମ ମ୍ୟାଚ୍ରେ ପଞ୍ଜାବ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଜିତେଶ ଶର୍ମାଙ୍କ ନେତୃତ୍ୱରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୨୨୨ ରନ୍ ସଂଗ୍ରହ କରିଥିଲା। ବେଙ୍ଗାଲୁରୁର ଇନିଂସ ଆରମ୍ଭରୁ ଉତ୍ସାହଜନକ ନଥିଲା। ଦଳର ପ୍ରାରମ୍ଭିକ ବ୍ୟାଟର ଜାକୋବ ବେଥେଲ (୧୧ ରନ୍) ଏବଂ ବରାଟ କୋହଲି ପ୍ରଥମ ୱିକେଟ ପାଇଁ ୨୧ ରନ୍ର ଭାଗିଦାରୀ କରିଥିଲେ। କିନ୍ତୁ ଦ୍ୱିତୀୟ ୱିକେଟ ପାଇଁ ଦେବଦୂତ୍ତ ପଡ୍ଡିକଲଙ୍କ ସହିତ ବିରାଟ କୋହଲି ୭୬ ରନ୍ର ଭାଗିଦାରୀ କରିଥିଲେ। ଏଥିରୁ ପଡ୍ଡିକଲଙ୍କ ଯୋଗଦାନ ୪୫ ରନ୍ ଥିଲା। ସେ ୨୫ଟି ବଲ୍ର ସମ୍ମୁଖୀନ ହୋଇ ୪ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ବିରାଟ କୋହଲି ଏବଂ ଭେଙ୍କଟେଶ ଆୟର ତୃତୀୟ ୱିକେଟ୍ ପାଇଁ ୬୦ ରନ୍ର ଭାଗିଦାରୀ କରିଥିଲେ। ପଞ୍ଜାବର ତୃତୀୟ ଶିକାର ହୋଇଥିଲେ ବିରାଟ କୋହଲି। କିନ୍ତୁ ଏହା ପୂର୍ବରୁ ସେ ଅର୍ଦ୍ଧଶତକ ହାସଲ କରି ସାରିଥିଲେ। ସେ ୩୭ଟି ବଲ୍ ଖେଳି ୪ଟି ଚୌକା ଏବଂ ୩ଟି ଛକା ବଳରେ ୫୮ ରନ୍ ସଂଗ୍ରହ କରିଥିଲେ। ଦଳ ପାଇଁ ଭେଙ୍କଟେଶ ଆୟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ଆୟର ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୪୦ଟି ବଲ୍ର ସମ୍ମୁଖୀନ ହୋଇଥିଲେ, ଯେଉଁଥିରୁ ୮ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ଟିମ୍ ଡେଭିଡ ୧୨ଟି ବଲ୍ ଖେଳି ୨ଟି ଚୌକା ଏବଂ ୨ଟି ଛକା ବଳରେ ୨୮ ରନ୍ ଯୋଡ଼ିଥିଲେ। ବେଙ୍ଗାଲୁରୁ ପାଇଁ ହରପ୍ରୀତ ବରାର ବ୍ରାର ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ। ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବଂ ଯୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
