ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)ର ୬୨ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି। ରାଜସ୍ଥାନ ରୟାଲ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀ ୧୯.୨ ଓଭରରେ ୫ଟି ୱିକେଟ୍ ହରାଇ ୧୮୭ ରନ୍ ସଂଗ୍ରହ କରିଛି। ଦଳ ପାଇଁ କେଏଲ୍ ରାହୁଲ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୨ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ୩ଟି ଛକା ବଳରେ ୫୬ ରନ୍ କରିଥିଲେ। ଅକ୍ଷର ପଟେଲ ଅପରାଜିତ ୩୪ ରନ୍ କରିଥିଲେ। ଦିଲ୍ଲୀ ୧୯୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଅଭିଷେକ ପାରୋଲ ଏବଂ କେଏଲ୍ ରାହୁଲ ଶତକୀୟ ଭାଗିଦାରୀ କରିଥିଲେ। ଏଥିରୁ ଅଭିଷେକ କେବଳ ୫୧ ରନ୍ କରିଥିଲେ। ସେ ଆଉଟ୍ ହେବା ପୂର୍ବରୁ ୩୧ଟି ବଲ୍ ଖେଳି ୭ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ରାଜସ୍ଥାନର ଦ୍ୱିତୀୟ ଶିକାର ହୋଇଥିଲେ ସାହିଲ ପ୍ରକାଶ, ଯିଏ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଟସ୍ ଜିଣି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ରିୟାନ ପରାଗଙ୍କ ନେତୃତ୍ୱରେ ରାଜସ୍ଥାନ ବ୍ୟାଟିଂ କରିଥିଲା। ରିୟାନ ପରାଗ ଏବଂ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୯୩ ରନ୍ ସଂଗ୍ରହ କରିଥିଲା। ରାଜସ୍ଥାନ ପାଇଁ ଯୁବ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ଏବଂ ବୈଭବ ସୂର୍ଯ୍ୟବଂଶୀ ଇନିଂସ ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ ପାଇଁ ୧୯ ରନ୍ର ଭାଗିଦାରୀ କରିଥିଲେ। ଜୟସ୍ୱାଲ ୯ଟି ବଲ୍ର ସାମ୍ନା କରି ୩ଟି ଚୌକା ବଳରେ ୧୨ ରନ୍ କରିଥିଲେ। ଧ୍ରୁବ ଜୁରେଲଙ୍କ ସହିତ ବୈଭବ ସୂର୍ଯ୍ୟବଂଶୀ ୭୦ ରନ୍ର ଭାଗିଦାରୀ କରିଥିଲେ। ଦିଲ୍ଲୀର ଦ୍ୱିତୀୟ ଶିକାର ହୋଇଥିଲେ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ସେ ଆଉଟ ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ୪୬ ରନ୍ ସଂଗ୍ରହ କରିଥିଲେ। ଏଥି ପାଇଁ ସେ ୨୧ଟି ବଲ୍ ଖେଳିଥିଲେ, ଯେଉଁଥିରେ ୫ଟି ଚୌକା ଏବଂ ୩ଟି ଛକା ସାମିଲ କରିଥିଲେ। ଅଧିନାୟକ ରିୟାନ ପରାଗଙ୍କ ବ୍ୟକ୍ତିଗତ ସ୍କୋର ୫୧ ରନ୍ ଥିଲା। ସେ ୨୬ଟି ବଲ୍ ଖେଳି ୩ଟି ଚୌକା ଏବଂ ୫ଟି ଛକା ମାରିଥିଲେ। ଧ୍ରୁବ ଜୁରେଲ ୪୦ଟି ବଲ୍ ଖେଳି ୫ଟି ଚୌକା ଏବଂ ୨ଟି ଛକା ବଳରେ ୫୩ ରନ୍ ସଂଗ୍ରହ କରିଥିଲେ। ମଧ୍ୟକ୍ରମର ବ୍ୟାଟର ଦୋନୋଭାନ ଫେରେରିଆ ଖାତା ଖୋଲିପାରି ନଥିଲେ। ଶୁଭମ ଦୁବେ ୯ଟି ବଲ୍ ଖେଳି ୫ ରନ୍ ସଂଗ୍ରହ କରିଥିଲେ। ଦିଲ୍ଲୀ ପାଇଁ ମିଚେଲ ଷ୍ଟାର୍କ୍ସ ଶ୍ରେଷ୍ଠ ବୋଲିଂ କରିବା ସହିତ ୪ଟି ୱିକେଟ୍ ନେଇଥିଲେ। ଷ୍ଟାର୍କ୍ସଙ୍କ ବ୍ୟତୀତ ଲୁଙ୍ଗି ଏନ୍ଗିଡି ଏବଂ ମାଧବ ତିୱାରି ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
