ବାଲୁଗାଁ: ଶୁକ୍ରବାର ଦିନ ୫ ନଂ ଜାତୀୟ ରାଜପଥ ନାଭାଲ–ବାଲୁଗାଁ ମୁଖ୍ୟ ରାସ୍ତାରେ ଦିନ ଦ୍ୱିପ୍ରହରରେ ଚେକିଂ ନାଁରେ ନକଲି ପରିଚୟ ଦେଇ ମହିଳାଙ୍କ ଠାରୁ ଲୁଟ କରିଥିବା ନେଇ ବାଲୁଗାଁ ଥାନାରେ ଅଭିଯୋଗ ହୋଇଛି।ସୂଚନା ମୁତାବକ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମର କେଦାର ଗୌଡ ସ୍ତ୍ରୀ କମା ଗୌଡଙ୍କ ଗୋଡ ମାଡ ହୋଇଥିବା ବେଳେ ବାଲୁଗାଁ ସ୍ଥିତ ହାଡ଼ଭଙ୍ଗା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ।ହେଲେ ନିଜ ବାଇକରେ ଉଭୟ ଦମ୍ପତି ଆସୁଥିବା ବେଳେ ୫ନଂ ଜାତୀୟ ରାଜପଥ ଇଞ୍ଜନପୁର ଛକ ନିକଟରେ ଜଣେ ବ୍ୟକ୍ତି ଗାଡ଼ି ଚେକିଙ୍ଗ ଅଫିସର ପରିଚୟ ଦେଇ ଚେକିଙ୍ଗ ବାହାନାରେ ଗାଡ଼ି ଅଟକ ରଖିବାସହ ମୋଟା ଅଙ୍କର ଫାଇନ ମାଗିଥିଲେ।ଫାଇନ ଦେବାକୁ କେଦାର ଅମଙ୍ଗ ହେବାରୁ ତାଙ୍କ ସ୍ତ୍ରୀ କମାକୁ ଥାନାକୁ ଯିବା କହି ନିଜ ବାଇକରେ ବସାଇଥିଲେ।କମାଙ୍କୁ କିଛି ବାଟ ଆଣିବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ କମାଙ୍କ ଠାରୁ ଟଙ୍କା ଛଡ଼ାଇବା ସହ ପନ୍ଧିଥିବା କାନ ଫୁଲ ଛିଣ୍ଡାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ସ୍ତ୍ରୀ ଆସିବାରେ ବିଳମ୍ବ ହେବାରୁ କେଦାର ତାଙ୍କୁ ବହୁ ଖୋଜାଖୋଜି ପରେ ରାସ୍ତାରୁ ଉଦ୍ଧାର କରିଥିଲେ।ସ୍ତ୍ରୀଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।ଏନେଇ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକଙ୍କୁ ଯୋଗାଯୋଗ କରିବାରେ ତଦନ୍ତ କରିବାପରେ ପ୍ରକୃତ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି।
