ନୂଆଦିଲ୍ଲୀ: ମେରଠର ଏକ ଅଦାଲତ ଶୁକ୍ରବାର ଦିନ ଜଣେ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ମହିଳାଙ୍କ ସ୍ୱାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ଏବଂ ହତ୍ୟାକାଣ୍ଡକୁ ସାପ କାମୁଡ଼ା ଜନିତ ମୃତ୍ୟୁ ବୋଲି ଦର୍ଶାଇବା ପାଇଁ ମୃତଦେହ ତଳେ ଏକ ସାପ ରଖି ଦେଇଥିଲେ। ଅତିରିକ୍ତ ଜିଲ୍ଲା ବିଚାରପତି-୧୨ଙ୍କ ଅଦାଲତ ଗତ ଅକ୍ଟୋବର ୭ ତାରିଖରେ ରବିତା ଏବଂ ତାଙ୍କ ପଡ଼ୋଶୀ ଅମରଦୀପଙ୍କୁ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ମୃତକ ଅମିତ କଶ୍ୟପ ଓରଫ “ମିକି’ ୨୦୨୫ ମସିହା ଏପ୍ରିଲ ୧୨ ତାରିଖରେ ଆକବରପୁର ସାଦାତ ଗ୍ରାମସ୍ଥିତ ନିଜ ଘରେ ମୃତ ଅବସ୍ଥାରେ ମିଳିଥିଲେ। ତାଙ୍କ ମୃତଦେହ ତଳେ ଏକ ସାପ ଫସି ରହିଥିବା ଦେଖି ପରିବାର ଲୋକେ ପ୍ରଥମେ ଭାବିଥିଲେ ଯେ ସାପ କାମୁଡ଼ିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। କଶ୍ୟପଙ୍କ ବେକ ଚାରିପାଖରେ ଆଘାତ ଚିହ୍ନ ଏବଂ ଶରୀରରେ କ୍ଷତ ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା ଯେ ତଣ୍ଟି ଚିପି ହୋଇଯିବା କାରଣରୁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୋଗକାରୀ ପକ୍ଷ ଅନୁଯାୟୀ, ରବିତା ଏବଂ ଅମରଦୀପଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଏବଂ ସେମାନେ ମିଶି ଏହି ହତ୍ୟାକାଣ୍ଡର ଯୋଜନା କରିଥିଲେ। କଶ୍ୟପଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ, ଅପରାଧକୁ ଲୁଚାଇବା ଏବଂ ତଦନ୍ତକୁ ଭୁଲ୍ ଦିଗରେ ନେବା ପାଇଁ ସେମାନେ ମୃତଦେହ ତଳେ ସାପଟିକୁ ରଖି ଦେଇଥିଲେ। ସାପଟିକୁ ଧରାଯାଇ ଏକ ପାତ୍ରରେ ରଖାଯାଇଥିଲା। ସାପ ଧରାଳିମାନେ ଏହାର ଯାଞ୍ଚ କରି ଜାଣିବାକୁ ପାଇଲେ ଯେ ସାପଟିର ବିଷ ଥଳି କାଢ଼ି ଦିଆଯାଇଥିଲା। ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ପୂର୍ବରୁ ସେହି ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରିଥିଲା। ଦଣ୍ଡାଦେଶ ସମ୍ବନ୍ଧୀୟ ଯୁକ୍ତିତର୍କ ସମୟରେ, ଜିଲ୍ଲା ସରକାରୀ ଓକିଲ କେ.କେ. ଚୌବେ ଉଭୟ ଦୋଷୀଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ। ସେ ହତ୍ୟାକାଣ୍ଡ ପଛରେ ଥିବା ପ୍ରସ୍ତୁତି ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ସେମାନଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଚୌବେ ଅଦାଲତଙ୍କୁ ଅନୁରୋଧ କରିଥିଲେ ଯେ ସେମାନଙ୍କ ଉଦ୍ଦେଶ୍ୟ, ଅଭିପ୍ରାୟ ଏବଂ ଯେଉଁ ଢଙ୍ଗରେ ସେମାନେ ହତ୍ୟାକାଣ୍ଡ ଘଟାଇଥିଲେ, ସେ ସବୁକୁ ବିଚାରକୁ ନିଆଯାଉ। ଅଭିଯୋଗ ପକ୍ଷ “ଶବନମ ହତ୍ୟା ମାମଲା’ ସହିତ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ରାୟଗୁଡ଼ିକର ମଧ୍ୟ ଉଲ୍ଲେଖ କରିଥିଲେ। କଶ୍ୟପଙ୍କ ପରିବାର ପକ୍ଷରୁ ଲଢ଼ୁଥିବା ଓକିଲ ଫରଜାନା ଏବଂ ବଳରାଜ ସିଂହ ମଧ୍ୟ ମୃତ୍ୟୁଦଣ୍ଡ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ।
