ପୁରୀ: ରଥଖଳାରେ ବିଶ୍ୱକର୍ମା ମହାରଣା ମାନେ ରଥକାଯ୍ୟ କରୁଛନ୍ତି । ରଥକାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ୨୭ ତମ ଦିନରେ ତିନିରଥ ର ୩୯ ଗୋଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ ତିନିରଥର ଚାରି ନାହାକା,ତିନିରଥର ଢ଼ମକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ଶେଷ ହୋଇଛି ଆଜି ସୁଦ୍ଧା ତିନି ରଥର ୩୯ ଗୋଟି ଚକ ।ବାକି ତିନିରଥର ଶେଷ ଗୋଟିଏ ଗୋଟିଏ ଚକ ର ସିଙ୍ଗଡା ବାଡ଼ିଆ କାର୍ଯ୍ୟ,ଆସନ୍ତାକାଲି ଭୋଇ ସେବକ ମାନେ ଯନ୍ତାଗାଡ ଠାରେ ଶେଷ କରି ତିନିରଥର ମହାରଣା ସେବକ ମାନଙ୍କୁ ଯୋଗାଇ ଦେଇ ଯନ୍ତାଗାଡ ମୂଜିବେ। ତିନିରଥ ମହାରଣା ସେବକ ମାନେ ଶେଷ ତିନି ଗୋଟି ଚକ ନିର୍ମାଣ ପାଇଁ ତୁମ୍ବ ସିଙ୍ଗଡ଼ା ରେ ପଇ ରଖି ମାପ ଚିହ୍ନ ଦେଇ ସିଙ୍ଗଡ଼ା କଟିଙ୍ଗ ସହ ଅର ମୁଖ ସାଲ କରି ପଇ ସଂଯୋଗ କାର୍ଯ୍ୟସହ ପଇ କଳସା ଏବଂ ପଇ ବିନ୍ଧ ରେ କିଳା ବାଡିଆ ଶେଷ କରି ଚକ ନିର୍ମାଣ ଶେଷ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି।

ଏଥିସହ ରଥ ଅମୀନ ତିନି ରଥର ବେଦୀ ନିର୍ମାଣରେ ଆବଶ୍ୟକ ଢ଼ମକ ନିର୍ମାଣ ପାଇଁ ତିନି ରଥ ଚାଳି କୁ ଭୋଇ ସେବକ ମାନଙ୍କ ସହାୟତାରେ ତାଳଧ୍ୱଜ ରଥ ଚାଳି ଏବଂ ନନ୍ଦି ଘୋଷ ରଥ ଚାଳି କୁ ଦୁଇଟି ଲେଖାଏଁ ଏବଂ ଦର୍ପଦଳନ ରଥ ଚାଳିକୁ ୩ ଟି ୧୮ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲ ତିନିରଥର ମହାରଣା ସେବକ ମାନେ ୧୮ ଫୁଟିଆ ଧଉରା କାଠ ର ଚଉପଟ କାର୍ଯ୍ୟ ଜାରୀ ରଖିଛନ୍ତି । ଏଥିସହ ଆଜି ଶେଷ ହୋଇଛି ତିନିରଥ ଚାରି ନାହାକା ର ଚଉପଟ କାର୍ଯ୍ୟ , ଚଉପଟ କାର୍ଯ୍ୟ ଶେଷ ପରେ ଚାରି ନାହାକା ଗୁଡିକରେ ଆଠ କଣୀ ଆଂଶ ମରା ଶେଷ ପରେ ବିନ୍ଧ ପାଇଁ ମାପ ଚିହ୍ନ ପକା ଶେଷ କରିଛନ୍ତି ତିନିରଥର ମହାରଣା ସେବକ ମାନେ ରୂପକାର ସେବକ ମାନେ ତିନିରଥ ସାଲ ଗୁଜ ରେ ରୂପ ଖୋଦେଇ ସହ ଶେଷ ହୋଇଥିବା ରୁପଗୁଡ଼ିକର ପଲିସ କାର୍ଯ୍ୟ ଏବଂ ରୁପଗୁଡ଼ିକରେ ଅଳଙ୍କାର ପକା କାର୍ଯ୍ୟ ଜାରୀ ରଖିଛନ୍ତି।ଦୋଳବେଦୀ ଅସ୍ଥାଇ କାମାର ଶାଳରେ ଓଝା ସେବକ ମାନେ ତିନିରଥ ଦଣ୍ଡା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ତିନିରଥ ର ମହାରଣା ସେବକ ୭୭ ଜଣ,ଭୋଇ ସେବକ ୭୬ଜଣ,କରତୀ ସେବକ ୪ଜଣ , କମାର ସେବକ ୨୦ଜଣ,ରୂପକାର ସେବକ ୨୧ଜଣ,ତୁମ୍ବ ବିନ୍ଧ କାରୀଗର ୨ ଜଣ ଓ ରଥଖଳା ସହାୟକ (ପାଣି ବାଲା) ୧ ଜଣ ମୋଟ – ୨୦୧ ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
