କଳାହାଣ୍ଡି: ବିଦ୍ୟୁତ ଆଘାତରେ ଫୁଲ ମାଝୀ ମୃତ୍ୟୁ ଘଟଣାରେ ବେଦାନ୍ତ ପକ୍ଷରୁ ୪ ଲକ୍ଷ ୨୦ ହଜାର ଟଙ୍କା କ୍ଷତିପୂରଣ ଦେଇଥିବା ବେଳେ ଶକ୍ତି ସଚିବଙ୍କୁ ମାନବାଧିକାର କମିସନ ନିର୍ଦ୍ଦେଶ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ୨୦୨୫ ଏପ୍ରିଲ ୬ ତାରିଖ ବେଦାନ୍ତ କମ୍ପାନିକୁ ସଂଯୋଗ କରୁଥିବା ୧୩୨ କେଭି ବିଦ୍ୟୁତ ତାର ଲାଗି ବେଲମ୍ବା ଗ୍ରାମର ଆଦିବାସୀ ମହିଳା ଫୁଲ ମାଝୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ ଙ୍କ ନିକଟରେ ମାମଲା ଦାୟର ହେବା ପରେ ବେଦାନ୍ତ କମ୍ପାନି ପକ୍ଷରୁ ମୃତ ପୁଲ ମାଝୀଙ୍କ ପରିବାରକୁ ୪ ଲକ୍ଷ ୨୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଥିବା କମିଶନଙ୍କ ଚୂଡାନ୍ତ ନିର୍ଦ୍ଦେଶନାମାରୁ ଜଣାପଡ଼ିଛି । ଏଥିସହ କର୍ମିସନ ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଘଟଣା ବିଦ୍ୟୁତ ସଂଚାରଣ ଆଇନ -୨୦୦୩ରେ ନିର୍ଦ୍ଧାରଣ କରାଯାଇଥିବା ନିୟମ ଏବଂ ସୁରକ୍ଷା ବ୍ୟବସ୍ଥା ଉଲଂଘନ କରୁଥିବାରୁ ସମ୍ପୃକ୍ତ ବେଦାନ୍ତ କମ୍ପାନି ଏବଂ ଓପିଟିସିଏଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରି ଭବିଷ୍ୟତରେ ସୂରକ୍ଷା ବ୍ୟବସ୍ଥା କଡା କଡ଼ି ପାଳନ କରିବାକୁ ବାଧ୍ୟ କରନ୍ତୁ ।ଘଟଣା ସମ୍ପର୍କରେ ଖବର ପ୍ରକାଶିତ ହେବା ପରେ ମାନବାଧିକାର କର୍ମୀ ଦିଲୀପ ଦାସଙ୍କ ଅଭିଯୋଗକ୍ରମେ କମିସନ ମାମଲା ସଂଖ୍ୟା- ୩୫୮/୧୮/୬/୨୦୨୫ ପଞ୍ଜୀକରଣ କରି ଶକ୍ତି ବିଭାଗକୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଥିଲେ। ନୋଟିସ ପାଇବା ପରେ ପଶ୍ଚିମାଞ୍ଚଳ ମୁଖ୍ୟ ଯନ୍ତ୍ରୀ ତଥା ମୁଖ୍ୟ ବିଦ୍ୟୁତ ପରିଦର୍ଶକ ସରଜମିନ ତଦନ୍ତ କରି ରିପୋର୍ଟ ଦେଇଥିଲେ। ଶକ୍ତି ବିଭାଗ ପକ୍ଷରୁ ୧୧ ଫେବ୍ରୁଆରି ୨୦୨୬ରେ ମାନବାଧିକାର କମିସନଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଥିଲା। ତଥ୍ୟ ଅନୁଯାୟୀ, ବେଦାନ୍ତ କମ୍ପାନିକୁ ସଂଯୋଗ କରୁଥିବା ୧୩୨ କେଭି ଲାଇନର ଟାୱାର ନଂ-୪୭ ଏବଂ ୪୮ ମଧ୍ୟରେ ୧୩୨ କେଭି ତାର କୁଲେର ଶାଗ ଗଛକୁ ଛୁଇଁଥିଲା, ଯାହା ଫଳରେ ଶାଗ ତୋଳିଲା ବେଳେ ଫୁଲ ମାଝୀ ବିଦ୍ୟୁତ ଆଘାତ ଯୋଗୁଁଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଯଦିଓ ତାର ଝୁଲି ନଥିଲା କି ଛିଣ୍ଡି ନଥିଲା ଏବଂ ଭୂମିଠାରୁ ସଠିକ ଉଚ୍ଚତାରେ ରହିଥିଲା କିନ୍ତୁ ତଳେ ବଢୁଥିବା ଗଛର ଡାଳ କଟା ଯାଇନଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଏହି ତଦନ୍ତ ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ବେଦାନ୍ତ ଲାଞ୍ଜିଗଡ଼ ଏବଂ ଓପିଟିସିଏଲ ଗଛ ଡାଳ ସବୁ କାଟିବା କଥା, ଯାହା ସେମାନେ ଅବହେଳା କରି କାଟିନାହାନ୍ତି। ଏଣୁ ପ୍ରାଥମିକ ଭାବେ ସେହି କମ୍ପାନି ଏଥିପାଇଁ ଦାୟୀ । ଗଛ ର ଡାଳ ସମୟକୁ ସମୟ କଟା ଯାଉଥିଲେ ଏହି ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା। ଏଥିସହ ଦୁର୍ଘଟଣା ଘଟିବା ବାବଦରେ କମ୍ପାନି ପକ୍ଷରୁ କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ଏତଲା ଦିଆଯାଇନାହିଁ, ଯାହାକି ବିଦ୍ୟୁତ ନିୟାମକର ଖୋଲାଖୋଲି ଉଲଂଘନ ବିଦ୍ୟୁତ ସଂଚାରଣ ସୁରକ୍ଷା ଲକ୍ଷ୍ୟରେ ଯେଉଁ ଆଇନ ପ୍ରଣୟନ ହୋଇଛି ତାହା ବେଦାନ୍ତ କର୍ତ୍ତୃପକ୍ଷ ସମ୍ପୂର୍ଣ ଭାବରେ ଅଣଦେଖା କରିଛନ୍ତି। ଏଭଳି ଅବହେଳା ବିଦ୍ୟୁତ ନିୟାମକର ନିୟମ ଖୋଲାଖୋଲି ଉଲଂଘନ କରୁଛି। ଏହି ସବୁ ନିୟମ ସଠିକ ପାଳନ କରି ଭବିଷ୍ୟତରେ ଏଭଳି ଦୁର୍ଘଟଣା ଯେପରି ନହୁଏ ସେଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ବେଦାନ୍ତ ଲାଞ୍ଜିଗଡ଼ ସହ ଓପିଟିସିଏଲ ବାଧ୍ୟ ବୋଲି କଡ଼ା ନିର୍ଦ୍ଦେଶ ଦେବାକୁ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କୁ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି।
