କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୬୦ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ହୋଇଛି। ଗୁଜରାଟ ଟାଇଟନ୍ସକୁ କୋଲକାତା ୨୯ ରନ୍ରେ ପରାସ୍ତ କରିଛି। ଗୁଜରାଟ ୨୪୮ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୨୧୮ ରନ୍ ସଂଗ୍ରହ କରିପାରିଥିଲା। ଗୁଜରାଟ ପାଇଁ ନିଜେ ଅଧିନାୟକ ଶୁବମନ ଗିଲ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୯ଟି ବଲ୍ ଖେଳି ୫ଟି ଚୌକା ଏବଂ ୭ଟି ଛକା ବଳରେ ୮୫ ରନ୍ ସଂଗ୍ରହ କରିଥିଲେ। ନିଶାନ୍ତ ସିନ୍ଧୁ ୧ ରନ୍ କରିଥିଲେ। ଜୋସ ବଟଲର ୩୫ଟି ବଲ୍ ଖେଳି ୫ଟି ଚୌକା ଏବଂ ୨ଟି ଛକା ବଳରେ ୫୭ ରନ୍ କରିଥିଲେ। ସାଈ ସୁଦର୍ଶନ ୨୮ଟି ବଲ୍ ଖେଳି ୬ଟି ଚୌକା ଏବଂ ୩ଟି ଛକା ବଳରେ ୫୪ ରନ୍ ସଂଗ୍ରହ କରିଥିଲେ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଗୁଜରାଟ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ଘରୋଇ ଦଳ ବ୍ୟାଟିଂ କରିଥିଲା। ଆଜିଙ୍କ୍ୟ ରହାଣେଙ୍କ ଦଳ ଫିନ୍ ଆଲେନ ଏବଂ ଅଙ୍ଗକ୍ରିଶ ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍ ହରାଇ ୨୪୭ ରନ୍ ସଂଗ୍ରହ କରିଥିଲା। କୋଲକାତା ପାଇଁ ପ୍ରାରମ୍ଭିକ ବ୍ୟାଟର ଆଜିଙ୍କ୍ୟ ରହାଣେ ଏବଂ ଫିନ୍ ଆଲୋନ୍ ବିସ୍ଫୋରକ ଆରମ୍ଭ କରିଥିଲେ। ୪.୧ ଓଭରରେ ଦଳର ସ୍କୋର ପ୍ରଥମ ୱିକେଟ୍ ପାଇଁ ୪୪ ରନ୍ର ଭାଗିଦାରୀ କରିଥିଲେ। ଏଥିରୁ ରହାଣେଙ୍କର ବ୍ୟକ୍ତିଗତ ସ୍କୋର ୧୪ ରନ୍ ଥିଲା, ଯେଉଁଥିରେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ଦ୍ୱିତୀୟ ୱିକେଟ୍ ପାଇଁ ଫିନ୍ ଆଲେନ ଏବଂ ଅଙ୍ଗ୍କ୍ରିଶ ୯୫ ରନର ଭାଗିଦାରୀ କରିଥିଲେ। ସେହି ସମୟରେ ଦଳରେ ସ୍କୋର ୧୧.୨ ଓଭରରେ ୧୩୯ ରନ୍ରେ ପହଞ୍ଚିଥିଲା। ଆଲେନ୍ ଆଉଟ୍ ହେବା ପରେ ଦଳର ମୋର୍ଚ୍ଚା ସମ୍ଭାଳି ଥିଲେ ରଘୁବଂଶୀଙ୍କ ସହିତ କେମରନ ଗ୍ରିନ୍। ଫିନ୍ ଆଲେନ ଶତକରୁ ବଞ୍ଚିତ ହୋଇଥିଲେ। ସେ ୩୫ଟି ବଲ୍ ଖେଳି ୯୩ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୪ଟି ଚୌକା ଏବଂ ୧୦ଟି ଛକା ସାମିଲ କରିଥିଲେ। ସେହିପରି ରଘୁବଂଶୀ ୪୪ଟି ବଲ୍ ଖେଳି ଅପରାଜିତ ୮୨ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୪ଟି ଚୌକା ଏବଂ ୭ଟି ଛକା ମାରିଥିଲେ। କେମରନ ଗ୍ରିନଙ୍କ ବ୍ୟାଟରୁ ୫୨ ରନ୍ ଅମଳ ହୋଇଥିଲା। ସେ ୨୮ଟି ବଲ୍ ଖେଳି ୩ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ଗୁଜରାଟ ପାଇଁ ମହମ୍ମଦ ସିରାଜ ଏବଂ ରବି ଶ୍ରୀନିବାସନ ସାଈ କିଶୋର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
