ପୁରୀ: ବଡଦାଣ୍ଡ ସ୍ଥିତ ରାଜା ନଅର ସମ୍ମୁଖ ରଥଖଳା ଏବେ ଚଳଚଞ୍ଚଳ । ଶନିବାର ୨୬ ତମ ଦିନରେ ଶୁକ୍ରବାର ସୁଦ୍ଧା ତିନି ରଥର ୩୨ ଗୋଟି ଚକ ନିର୍ମାଣ ଶେଷ ହେବାସହ ୧୪ ନାହାକା ଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜିସୁଦ୍ଧା ତିନିରଥ ର ୩୩ ଗୋଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହେବାସହ, ଭୂଇଁ ଚଉତା ବିନ୍ଧ ଅନୁକୂଳ ପୂର୍ବରୁ ଭୂଇଁ ଚଉତା ର ପାଖୁଡ଼ା ବିନ୍ଧ ପାଇଁ ମାପ ଚିହ୍ନ ଗାରିଆ ଶେଷ ହୋଇଛି । ତିନି ରଥର ୪ ନାହାକା ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ତିନିରଥର ଦୁଇଟି ଲେଖାଏଁ ଧମକ ର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ତିନି ରଥର ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ତିନି ରଥର ୩୩ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ଆଉ ୯ ଗୋଟି ଚକ ନିର୍ମାଣ ପରେ ତିନି ରଥର ମୋଟ ୪୨ ଗୋଟି ଚକ ନିର୍ମାଣ ସମ୍ପୂର୍ଣ୍ଣ ହେବ। ତାଳଧ୍ୱଜ ରଥର ୧୪ ଗୋଟି ଚକ ମଧ୍ୟରୁ ୯ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା ବାକି ୫ ଗୋଟି ଚକର ନିର୍ମାଣ କାର୍ଯ୍ୟ ଜାରୀ ରହିଛି । ଆଜି ତାଳଧ୍ୱଜ ରଥର ମହାରଣା ସେବକ ମାନେ ୧୦ ମ ଏବଂ ୧୧ ତମ ଚକର ତୁମ୍ବ ଅର ସିଙ୍ଗଡା ରେ ପଇ ପିନ୍ଧା ଶେଷ କରି ପଇ କଳଶା ପାଇଁ ପଇରେ ମାପ ଚିହ୍ନ ପକା ଶେଷ କରିଛନ୍ତି । ଏଥିସହ ୧୨ ତମ ୧୩ ତମ ଚକ ର ପଇ ବିନ୍ଧ ଶେଷ ହୋଇ ତୁମ୍ବ ସିଙ୍ଗଡା କଟା ଯାଇ ମୁଖ ସାଲ ଶେଷ ହୋଇଛି ।ଦର୍ପଦଳନ ରଥର ୧୦ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା । ୧୧ ତମ ଚକର ତୁମ୍ବ ର ପଇ ପିନ୍ଧା ଶେଷ ହୋଇ ପଇ କଳଶା ଜାରି ରହିଛି । ଏଥି ସହ ଦର୍ପଦଳନ ରଥର ଚଉପଟ ଶେଷ ହୋଇଥିବା ମୁହାଁଟ, ନିରାଡ଼ି ଏବଂ ଭୂଇଁ ଚଉତା ର ବିନ୍ଧ ପାଇଁ ବିନ୍ଧ ମାପ ଚିହ୍ନ ପକା ଶେଷ ହୋଇଛି। ଏଥିସହ ଦର୍ପଦଳନ ରଥର ମହାରଣା ସେବକ ମାନେ ଚାରି ଗୋଟି ଚାରି ନାହାକା ରୁ ୩ ଗୋଟି ନହାକାର ଚଉପଟ କାର୍ଯ୍ୟ ଶେଷ କରି ସେଥିରେ ଆଠ କୋଣୀ ଅଂଶ ମାରା କାର୍ଯ୍ୟ ଜାରି ରଖିଛନ୍ତି। ନନ୍ଦିଘୋଷ ରଥର ୧୬ ଚକ ମଧ୍ୟରୁ ଆଜି ସୁଦ୍ଧା ୧୪ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ୧୫ ତମ ଚକର ପଇ ବିନ୍ଧ ଶେଷ ହୋଇ ତୁମ୍ବ ସିଙ୍ଗଡା ର ଅର କଟା ସହ ମୁଖ ସାଲ ଶେଷ ହୋଇଛି। ଏଥିସହ ନନ୍ଦିଘୋଷ ରଥର ଚଉପଟ ଶେଷ ହୋଇଥିବା, ୧୨ ଗୋଟି ଭୂଇଁ ଚଉତା ଚଉପଟ ପରେ ବିନ୍ଧ ପାଇଁ ମାପ ଚିହ୍ନ ପକା ଶେଷ ହୋଇଛି, ଏବଂ ୪ ଗୋଟି ନାହାକା ରୁ ଦୁଇ ଗୋଟି ନାହାକା ର ଚଉପଟ ପରେ ଆଠ କୋଣୀ ଅଂଶ ମାରା କାର୍ଯ୍ୟ ଶେଷ ହୋଇଛି,ବାକି ଦୁଇଟି ନାହାକା ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ନୂତନ ସେଡ୍ କୁ ସ୍ଥାନାନ୍ତର ହୋଇଛି ବାହାର ରଥଖଳାରେ ଥିବା ତିନିରଥର ସମସ୍ତ ଚକ ଗୁଡିକ । ପ୍ରବଳ ରୌଦ୍ର ତାପରୁ ରଥ ଚକ ଗୁଡିକୁ ସୁରକ୍ଷା ଯୋଗାଇଦେବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ସନ୍ଧ୍ୟା ପୂର୍ବରୁ ତିନିରଥର ଭୋଇ ସେବକ ମାନେ ପୋଲିସ ସୁରକ୍ଷା ମଧ୍ୟରେ ୨୭ ଗୋଟି ଚକକୁ ଗଡ଼ାଇ ଆଣି ନୂତନ ସେଡ ରେ ସୁରକ୍ଷିତ ଭାବେ ରଖିଛନ୍ତି । ତିନି ରଥର ରୂପକାର ମାନେ କୋଣ ଗୁଜ ବା ସାଲ ଗୁଜ ରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିବା ସହ ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ଘଡି ମୁହଁ ଦଣ୍ଡା କଣ୍ଟା, ଦଣ୍ଡା ବିଡିଆ ଅଗ ପାତେଳି କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
