ପୁରୀ: ଜ୍ଯେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ଶନିବାର ଦିନ ବ୍ଲକ ଛକ ନିକଟସ୍ଥ ଗଦାକ୍ଷେତ୍ର ମହାବୀର ମନ୍ଦିର ପରିସରରେ ଥିବା ସାବିତ୍ରୀ ଦେବୀଙ୍କ ନିକଟରେ ଶ୍ରଦ୍ଧା ଓ ଭକ୍ତିର ସହ କିନ୍ନର ସଂଘ ପରିବାର ପକ୍ଷରୁ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି । କିନ୍ନର ମାନେ ଶୁଦ୍ଧପୂତ ଭାବେ ନୂଆ ଲୁଗା ପରିଧାନ କରି ଭୋଗ ଡାଲାରେ ନୂଆ ଶାଢି, ଶଙ୍ଖା, ଚୁଡି, ସିନ୍ଦୁର ଓ ବ୍ରତ ରଖିବା ସହ ପାଚିଲା ଆମ୍ବ, ସପୁରି, ସେଉ, ଅଙ୍ଗୁର, କଦଳୀ, ପିଜୁଳି, ଲିଚୁ, ଖଜୁରୀ କୋଳି, ତାଳସଜ, ସେପଟା, ଡାଳିମ୍ବ, କାକୁଡି, ପାଚିଲା ପଣସ,ତରଭୁଜ, ବଢିଆଳ, ଜାମୁ ଆଦି ବିଭିନ୍ନ ପ୍ରକାରର ଫଳମୂଳ ଓ ଧୂଆମୁଗ ନଡିଆ ଚିନି ସହିତ ନୈବେଦ୍ୟ ସାବିତ୍ରୀ ଦେବୀଙ୍କ ପାଖରେ ରଖିଥିଲେ । ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ମାଙ୍କୁ ପ୍ରାର୍ଥନା କରି ମୁଣ୍ଡିଆ ମାରିଥିଲେ । ଇଷ୍ଟ ଗୁରୁଙ୍କ ଉଦେଶ୍ଯରେ ସମର୍ପଣ ଭାବ ରଖି ସ୍ୱାମୀ ରୂପେ ଆଶୀର୍ବାଦ କାମନା କରିଥିଲେ । ଧୂପଦୀପ ଓ ସୁଗନ୍ଧିତ ପୁଷ୍ପ ଦେଇ ପୂଜାର୍ଚ୍ଚନା କରିଥିଲେ । ହୁଳହୁଳି ପକାଇ ସାବିତ୍ରୀ ବ୍ରତ ଭକ୍ତି ଓ ନିଷ୍ଠାର ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ। ଏଥିରେ କିନ୍ନର ସଂଘର ଦେବକୀ ମାଙ୍କ ତତ୍ତ୍ୱାବଧାନରେ ସଭାପତି ପ୍ରିୟାଂଶୁ ଦାସ,ସମ୍ପାଦକ ପିହୁ ମିଶ୍ର, ଦୀପା,ଗୌରୀ, ସୋନି, ରଶ୍ମୀ ,ଆରୋହୀ, ଆଶା, ରୁବି, ଇଶ୍ୱରୀ, ଚୁମୁକି, ଶ୍ରଦ୍ଧା,ବେବିନା ପିଙ୍କି ଓ ବର୍ଷାଙ୍କ ସମେତ ଅନ୍ଯାନ୍ଯ କିନ୍ନର ମାନେ ଉପସ୍ଥିତ ରହି ନିଷ୍ଠା, ଶ୍ରଦ୍ଧା ଓ ଭକ୍ତିର ସହ ସାବିତ୍ରୀ ବ୍ରତ ପାଳନ କରି ଗୁରୁଙ୍କ ନିକଟରେ ସମର୍ପିତ ହୋଇଥିଲେ ।
