କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦୁଇଟି ଗଞ୍ଜେଇ ଗଛ ଦେଖାଯାଇଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ବନ ବିଭାଗ କାର୍ଯ୍ୟାଳୟ ପରିସରରେ ନିଷିଦ୍ଧ ପ୍ରଜାତିର ଗଛ ବଢ଼ୁଥିବା ଘଟଣା ବିଭାଗୀୟ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ସାଧାରଣରେ ଦାବି ହୋଇଛି।ସୂଚନା ଅନୁଯାୟୀ, ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରର ମଧ୍ଯରେ ଅନାବନା ଗଛଲତା ଦୁଇଟି ଗଞ୍ଜେଇ ଗଛ ବହୁଦିନ ଧରି ବଢ଼ୁଥିଲା। ପ୍ରତ୍ୟେକ ଗଛ ପ୍ରାୟ ପାଞ୍ଚ ଫୁଟ ଉଚ୍ଚର ହୋଇଥିବାରୁ ଏଗୁଡ଼ିକ ଦୀର୍ଘଦିନ ଧରି ସେଠାରେ ରହିଥିବା ଅନୁମାନ କରାଯାଉଛି। ତେବେ ପ୍ରତିଦିନ କାର୍ଯ୍ୟାଳୟକୁ ଆସୁଥିବା ଅଧିକାରୀ ଓ କର୍ମଚାରୀଙ୍କ ନଜରକୁ ଏହା ନ ଆସିବା, ବନ ବିଭାଗର ନିୟମିତ ସଫାସୁତୁରା, ତଦାରଖ ଓ ରକ୍ଷାବେକ୍ଷଣ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜଙ୍ଗଲ ସମ୍ପଦର ସୁରକ୍ଷା ଓ ଅବୈଧ କାର୍ଯ୍ୟକଳାପ ରୋକିବା ଯାହାଙ୍କ ମୁଖ୍ୟ ଦାୟିତୂ , ସେହି ବିଭାଗର ନିଜ କାର୍ଯ୍ୟାଳୟ ପରିସରରେ ଏପରି ଗଛ ମିଳିବାକୁ ଗୁରୁତରଅବହେଳା ଅଭିଯୋଗ ହେଉଛି। ଘଟଣାକୁ ନେଇ ସ୍ଥାନୀୟ ରେଞ୍ଜର ଓ ଅନ୍ୟାନ୍ୟ ବନ କର୍ମଚାରୀଙ୍କଭୂମିକା ଉପରେ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଏତେ ଦିନ ଧରି ଗଛଗୁଡ଼ିକ ବଢ଼ୁଥ?ିବା ସତ୍ତ୍ୱେ କାହିଁକି ସେହି ଗଛ ଗୁଡ଼ିକୁ ଚିହ୍ନଟ କରାଯାଇନଥିଲା ଓ ହଟାଯାଇନଥିଲା, ତାହାର ଉତ୍ତର ଦେବାକୁ ସାଧାରଣ ଲୋକ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଅଞ୍ଚଳବାସୀ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ସତ୍ୟ ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି। ଯଦି ତଦନ୍ତରେ କୌଣସି ଅବହେଳା କିମ୍ବା ଦାୟିତ୍ୱହୀନତା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି।
