ପୁରୀ: ଶରଧାବାଲି ବାବା ଆଖଣ୍ଡଳମଣି ଅଟୋ ଚାଳକ ଆସୋସିଏସନ ପକ୍ଷରୁ ସବୁବର୍ଷ ପରି ଚଳିତବର୍ଷ ଚତୁର୍ଥବର୍ଷ ଅବସରରେ ଶୁକ୍ରବାର ଅନ୍ନଛତ୍ର ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ ଆନୁଷ୍ଠାନିକ ପୂର୍ବକ ରିବନ କାଟି ଶୁଭାରମ୍ଭ କରି କହିଲେ ମାନବ ସେବା ହିଁ ମାଧବ ସେବା । ଶ୍ରୀକ୍ଷେତ୍ରକୁ ପ୍ରତିଦିନ ପର୍ଯ୍ୟଟକ, ତୀର୍ଥଯାତ୍ରୀ, ସାଧୁସନ୍ଥ ଓ ଭକ୍ତ ଆସୁଛନ୍ତି । ସେମାନଙ୍କୁ ଅତିଥି ଦେବୋ ଭବଃ ଭଳି ଆତିଥିୟତା ସେବା ଏହି ଅଟୋ ଚାଳକ ସଂଘ କରିଆସୁଛି । ସେମାନଙ୍କ ପାଇଁ ଦିନରାତି ଏହି ଅଟୋ ଚାଳକ ଭାଇମାନେ ସେବା କରୁଛନ୍ତି । ସେବା ଯୋଗାଇବା ସହ ବିଭିନ୍ନ ସମୟରେ ପାନୀୟଜଳ ବଣ୍ଟନ, ରକ୍ତଦାନ ଶିବିର ଓ ଅନ୍ନଛତ୍ର ବଣ୍ଟନ କରି ସଂଘର ମହତପଣିଆ ଦେଖାଇଛନ୍ତି । ସେମାନଙ୍କ ସେବା ପାଇଁ ସେମାନେ ଧନ୍ୟବାଦର ପାତ୍ର ଅଟନ୍ତି ବୋଲି ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଦେବାଶିଷ ଦାସ, ସମାଜସେବୀ ରିଙ୍କି ବାରିକ ଓ ହରପ୍ରସାଦ ଆଚାର୍ଯ୍ଯ, ଯୁବନେତା ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ସହ ପ୍ରବଳ ଖରାତାତି ଓ ଗୁଳୁଗୁଳି ସମୟରେ ଅନ୍ନଛତ୍ର ବଣ୍ଟନ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ସଂଘର ଏଭଳି ଉଦ୍ଯମକୁ ପ୍ରଶଂସା କରିଛନ୍ତି । ସଂଘର ସଭାପତି ପ୍ରମୋଦ କୁମାର ଜେନା ସଭାପତିତ୍ୱ କରିଥିଲେ ।

ପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରରେ ସଂଘର ସମସ୍ତ ସଦସ୍ଯ ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସଂଘର ସଭାପତି ଶ୍ରୀ ଜେନାଙ୍କ ତତ୍ତ୍ୱାବଧାନରେ ବସଷ୍ଟାଣ୍ଡରୁ ଆସୁଥିବା ଓ ଯାଉଥିବା ସମସ୍ତ ଯାତ୍ରୀ, ଚଲାପଥ ଯାତ୍ରୀ ଓ ପର୍ଯ୍ୟଟକ ମାନେ ସଂକ୍ରାନ୍ତି ଦିନ ଆନନ୍ଦ ଉଲ୍ଲାସର ସହ ଅନ୍ନ, ଡାଲମା ଓ ଖଟା ଖାଇ ଆନନ୍ଦିତ ହୋଇ ସାଧୁବାଦ ଜଣାଇଥିଲେ । ସମ୍ପାଦକ ଦାଶରଥି ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉପସଭାପତି ବିନୟ କୁମାର ପଟ୍ଟନାୟକ, ସହ ସମ୍ପାଦକ ମହେନ୍ଦ୍ର କୁମାର ବେହେରା, କୋଷାଧ୍ୟକ୍ଷ ସୁରେଶ କୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମହେନ୍ଦ୍ର ଭୂୟାଁ,ଅପୂର୍ବ ବାରିକ, ଗଣେଶ ବାଗୁଲି, ହେମନ୍ତ ମହାନ୍ତି, ଗଦାଧର ବେହେରା,ରତିକାନ୍ତ ସୁବୁଦ୍ଧି, ପ୍ରଭାକର ମିଶ୍ରଙ୍କ ସମେତ ଶତାଧିକ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଖାଦ୍ଯ ବିତରଣରେ ସହଯୋଗ କରିଥିଲେ । ଶତାଧିକ ଲୋକ ଧାଡିରେ ଯାଇ ରନ୍ଧାଖାଦ୍ଯ ଆଣି ଶୃଙ୍ଖଳିତ ଭାବେ ଖାଉଥିବା ଦେଖିବାକୁ ମିଳିଥିଲା ।
