ପୁରୀ: ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥଖଳାରେ ରଥକାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନିରଥ ର ୩୨ ଗୋଟି ଚକ ନିର୍ମାଣ ଶେଷ ହୋଇ ତିନି ରଥର ବିଭିନ୍ନ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରୀ ରହିଥିବା ବେଳେ ଆରମ୍ଭ ହୋଇଛି ତିନିରଥ ୧୪ ନାହାକା ଚଉପଟ କାର୍ଯ୍ୟ । ତିନିରଥ ର ନିର୍ମାଣ କାର୍ଯ୍ୟ ସମାନ୍ତରାଳ ଭାବେ ଆଗେଇ ଚାଲିଛି। ମହାରଣା ସେବକଙ୍କ ପ୍ରତିଟି ନିର୍ମାଣ କାର୍ଯ୍ୟ ର ସହାୟକ ଭାବେ ଜଗି ରହିଛନ୍ତି ଭୋଇ ସେବକ ମାନେ । ତିନିରଥ ଚାଳିରେ କାର୍ଯ୍ୟରତ ବିଶ୍ୱକର୍ମା ମହାରଣାଙ୍କ ଇସାରାରେ ମୁହୂର୍ତ୍ତରେ ପରିଷ୍କାର କରି ନେଇଛନ୍ତି କାଠ । ଚଉପଟ ବେଳେ ବାରିସୀରୁ ଛିଟିକି ବାହାରି ଆସୁଥିବା କାଠ ଛେଲା ସବୁକୁ, ଚଉପଟ ସରିଥିବା ଭୂଇଁ ଚଉତା ର ବିନ୍ଧ ଅନୁକୂଳ ପାଇଁ ମାପ ଚିହ୍ନର ସୂତା ଭିଡ଼ି ଧରିବା ଠାରୁ ଆରମ୍ଭ କରି ରଥ ଅମୀନ ଚିହ୍ନଟ କରି ନିର୍ମାଣ ଉପଯୋଗୀ କାଠକୁ ରଥଖଳାକୁ ବୋହିଆଣି ଯୋଗଇବା ସହ ସାଇତି ରଖୁଛନ୍ତି ଚଉପଟ ଶେଷ ହେଉଥିବା ଅଂଶ ଗୁଡିକୁ ।

ଏଥି ସହ ଯନ୍ତା ଗାଡ଼ଠାରେ ତୁମ୍ବରେ ସିଙ୍ଗଡ଼ା ବାଡେଇ ତିନି ରଥ ଚାଳି ମହାରଣା ସେବକ ମାନଙ୍କୁ ଯୋଗାଇ ଦେଉଛନ୍ତି,ଭୋଇ ସେବକ ମାନେ ଗୋଟିଏ କାର୍ଯ୍ୟ ସରୁ ସରୁ ତା’ପଛକୁ ଆଉ ଗୋଟିଏ କାର୍ଯ୍ୟ ସାରି ଦେବା ମାନସିକତାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ ଗୋଷ୍ଠିଗତ ସେବା । ତିନି ରଥର ବାକି ଚକ ଗୁଡ଼ିକର ନିର୍ମାଣ ପାଇଁ ଚକ ତୁମ୍ବ ରେ ସିଙ୍ଗଡ଼ା ବାଡିଆ ଶେଷ ହୋଇଛି। ଏଥି ସହ ତିନି ରଥର ୧୨ ଗୋଟି ଲେଖାଏଁ ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଶେଷ ହୋଇ ବିନ୍ଧ କାର୍ଯ୍ୟପାଇଁ ଚଉତାରେ ମାପ ଚିହ୍ନ ଦିଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହ ତିନି ରଥର ଚଉଦ ନହାକା ନିର୍ମାଣ କାର୍ଯ୍ୟ ପାଇଁ ରଥ ଅମୀନ ତିନି ରଥ ଚାଳିକୁ ଯୋଗାଇଥିବା ୪ ଗୋଟି ଲେଖାଏଁ ୨୦ ଫୂଟିଆ ଧଉରା କାଠ ର ଚଉପଟ କାର୍ଯ୍ୟ ଜାରୀ ରହିଛି। ରୂପକାର ସେବକ ମାନେ ତିନିରଥ ସାଲ ଗୁଜରେ ରୂପ ଖୋଦେଇ ଜାରୀ ରଖିଛନ୍ତି ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଜାରୀ ରହିଛି। ଦୋଳବେଦୀ ଅସ୍ଥାୟୀ କମାରଶାଳ ରେ ତିନିରଥ ଓଝା ସେବକ ମାନେ ଦଣ୍ଡା ବିଡିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ତିନିରଥ ର ମହାରଣା ସେବକ ୭୬, ଭୋଇ ସେବକ ୭୬ଜଣ, କରତୀ ସେବକ ୪ ଜଣ,ତିନିରଥ ଓଝା କମାର ସେବକ ୨୦ ଜଣ, ରୂପକାର ସେବକ ୨୧ ଜଣ,ତୁମ୍ବ ବିନ୍ଧ କାରୀଗର ୨ ଜଣ,ରଥଖଳା ସହାୟକ ୧ ଜଣ ସମୁଦାୟ ୨୦୧ ଜଣ ମହାପ୍ରଭୁଙ୍କ ସେବାରେ ନିୟୋଜିତ ଅଛନ୍ତି
