ବାରିପଦା; ଯାତ୍ରୀବାହୀ ଅଟୋକୁ ଆକ୍ରମଣ କରିବା ସହ ଠେଲି ଠେଲି ଜଙ୍ଗଲ ଭିତରକୁ ନେଇଗଲା ଦନ୍ତାହାତୀ। ହାତୀର ଉପସ୍ଥିତି ଦେଖି ଅଟୋରେ ଥିବା ଚାଳକ ଓ ଯାତ୍ରୀମାନେ ଗାଡ଼ି ଛାଡ଼ି ଦୌଡ଼ି ପଳାଇବାରୁ ଅଳ୍ପକେ ରକ୍ଷା ପାଇଛନ୍ତି। ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଭଦୁଆଶୋଳ ପଞ୍ଚାୟତର ମହୁଲିଆ-କୁଳିପାଳ ରାସ୍ତାରେ ଘଟିଛି। ସୂଚନା ଅନୁଯାୟୀ, ଉକ୍ତ ରାସ୍ତା ଦେଇ ଏକ ଯାତ୍ରୀବାହୀ ଅଟୋ ଯାଉଥିବା ବେଳେ ହଠାତ ଏକ ଦନ୍ତାହାତୀ ସାମ୍ନାକୁ ଚାଲି ଆସିଥିଲା। ହାତୀକୁ ଦେଖି ଅଟୋ ଚାଳକ ସାଗର ଟୁଡୁ ତୁରନ୍ତ ଯାତ୍ରୀମାନଙ୍କୁ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇବାକୁ କହିଥିଲେ। ଫଳରେ ଚାଳକଙ୍କ ସମେତ ସମସ୍ତ ଯାତ୍ରୀ ଭୟଭୀତ ହୋଇ ଏଣେତେଣେ ଦୌଡ଼ି ନିଜ ଜୀବନ ବଞ୍ଚାଇଥିଲେ। ଏହାପରେ ଦନ୍ତାହାତୀଟି ଅଟୋ ଉପରେ ଆକ୍ରମଣ କରିବା ସହ ବାରମ୍ବାର ଠେଲି ଠେଲି ଗାଡ଼ିଟିକୁ ଜଙ୍ଗଲ ଭିତରକୁ ନେଇଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଗଜସାଥୀ ରଘୁନାଥ ହେମ୍ରମ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ହାତୀଟିକୁ ଘଉଡ଼ାଇ ଥିଲେ। ପରେ ଦନ୍ତାହାତୀଟି କୁଳିପାଳ ଆମ୍ବ ବଗିଚା ଆଡ଼କୁ ଚାଲିଯାଇଥିଲା। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ଟ୍ରାକ୍ଟର ଯୋଗେ ଜଙ୍ଗଲ ଭିତରୁ ଅଟୋଟିକୁ ଟାଣି ରାସ୍ତାକୁ ଅଣାଯାଇଥିଲା। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ହାତୀ ଭୟ ଦେଖାଦେଇଛି। ଜଙ୍ଗଲ ଓ ସୀମାନ୍ତ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
