ବାରିପଦା : ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁଁ ପୁଣି ଏକ ମୂଲ୍ୟବାନ ଜୀବନ ଚାଲିଯାଇଛି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଗଡ଼ଦେଉଳିଆ ପେଟ୍ରୋଲ ପମ୍ପର ମାଲିକାଣୀ କମଳା ତିରିଆଙ୍କ ବୋହୂ ଦୀପ୍ତିରେଖା ସିଂଙ୍କର ମୃତ୍ୟୁ ଘଟିଥିବା ବେଳେ ପରିବାରର ଅନ୍ୟ ଦୁଇ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କମଳା ତିରିଆ ନିଜ ସାନ ପୁଅ ଅଭିଷେକ ଏବଂ ବୋହୂ ଦୀପ୍ତିରେଖାଙ୍କ ସହ ନିଜ କାର (ଓଡି ୧୧ ଏଏ-୮୧୮୧)ରେ ଭୁବନେଶ୍ୱରରୁ ମେଡିକାଲ ଚେକଅପ୍ ସାରି ବାରିପଦା ଫେରୁଥିଲେ। ରାତି ପ୍ରାୟ ୧୧:୩୦ ସମୟରେ ୧୮ ନଂ ଜାତୀୟ ରାଜପଥର ଗଡ଼ଦେଉଳିଆ ଛକ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରଲର ପଛପଟୁ ତାଙ୍କ କାର୍ଟି ଶକ୍ତ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାର୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ସ୍ଥିତ ରେମୁଣା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କମଳା ତିରିଆଙ୍କ ଗର୍ଭବତୀ ବୋହୂ ଦୀପ୍ତିରେଖା ସିଂଙ୍କର ମୃତ୍ୟୁ ଘଟିଛି। କାର୍ ଚଳାଉଥିବା ପୁଅ ଅଭିଷେକ ଏବଂ କମଳା ତିରିଆଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ୧୮ ନଂ ଜାତୀୟ ରାଜପଥର ଏହି ଅଞ୍ଚଳରେ ଦୀର୍ଘ ଦିନ ହେବ ବେଆଇନ ଭାବେ ମାଳ ମାଳ ଟ୍ରକ୍ ଏବଂ ଟ୍ରଲର ପାର୍କିଂ କରାଯାଉଛି। ଏନେଇ ପ୍ରଶାସନ ସବୁ ଜାଣି ମଧ୍ୟ ଆଖି ବୁଜି ଦେଇଛି। ପୂର୍ବରୁ ମଧ୍ୟ ଏଠାରେ ଅନେକ ଦୁର୍ଘଟଣା ଘଟି ଧନଜୀବନ ହାନି ହୋଇସାରିଥିଲେ ସୁଦ୍ଧା କୌଣସି ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ। ଘଟଣାସ୍ଥଳରେ ବୈଶିଙ୍ଗା ପୋଲିସ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖି ଥିବାର ପ୍ରକାଶ ।
