ନୀଳଗିରି: ସ୍କର୍ପିଓରେ ଗୋଚାଲାଣ ବେଳେ ୭ ଗୋରୁ ଉଦ୍ଧାର।ବରହମପୁର ଥାନା ଚନ୍ଦ୍ରପୁର ଗାଁ ନିକଟ ଜଙ୍ଗଲରୁ ପୋଲିସ ପେଟ୍ରୋଲିଂ ଦେଖିଭୟରେ ଗାଡ଼ିଛାଡି ପଳାଇଲେ ଗୋ ମାଫିଆ। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସ୍କୋର୍ପିଓରେ ଅମାନୁଷିକ ଭାବେ ୭ଟି ଗୋରୁଙ୍କୁ ବାନ୍ଧି ମୟୁରଭଞ୍ଜ ଜିଲ୍ଲା ଉଦଳାରୁ ନୀଳଗିରି ଆଡକୁ ଆସୁଥିଲା ଏକ ସ୍କର୍ପିଓଗାଡି। ଦ୍ରୁତଗତିରେ ଯାଉଥିବା ଏହି ଗାଡିକୁ ନେଇ ସନ୍ଦେହ ଉପୁଜିବା ଯୋଗୁ ପେଟ୍ରୋଲିଂରେ ଥିବା ବରହମପୁର ପୋଲିସ ୧୯ନଂ ରାଜ୍ଯ ରାଜପଥରେ ଗୋଡ଼ାଇଥିଲା। ଗାଡିଟି ପୋଲିସ ନଜରରୁ ଖସିଯାଇ ତରବରିଆ ଭାବେ ତିନିକୋଶିଆ ଜଙ୍ଗଲର ଚନ୍ଦ୍ରପୁର ଗାଁ ଭିତରେ ପଶି ଯାଇଥିଲା।

ଚନ୍ଦ୍ରପୁର ଗାଁ ଭିତରେ କୁକୁର ଭୁକିବାରୁ ସ୍ଥାନୀୟ ଲୋକ ଉଠିପଡିଥିଲେ। ପରେ ସ୍କୋର୍ପିଓ ଛାଡି ବେପାରୀମାନେ ସେଠାରୁ ଚମ୍ପଟ ମାରିଥିଲେ। ଖବରପାଇ ବରହମପୁର ପୋଲିସ ରାତିରେ ପହଞ୍ଚି ୭ଗୋରୁଙ୍କୁ ଉଦ୍ଧାର କରିଥିବାବେଳେ ବ୍ୟବହୃତ ହୋଇଥିବା ସ୍କର୍ପିଓ (ଓଡି-୦୧-ଡି-୦୦୨୫) ଗାଡିକୁ ଜବତ କରିବା ସହ ୭ଗୋରୁଙ୍କୁ ଗୋଶାଳାକୁ ପୋଲିସ ପଠାଇଥିଲା। ଗୋ ଚାଲାଣ ମାଫିଆ ମାନେ ଏବେ ସକ୍ରିୟ ହୋଇ ଉଠିଥିବା ପ୍ରତିଦିନ ଅତି ଦୟନୀୟ ଭାବେ ଆଳୁ ବସ୍ତା ଭଳି ଗୋ ମାତାଙ୍କୁ ଚାଲାଣ ହେଉଥିବାର କୁହାଯାଉଛି । ଏହି ଗୋ ଚାଲାଣ ପ୍ରତି ପୋଲିସ ବିଭାଗ ସଜାଗ ହେଲେ ଗୋ ଚାଲାଣ କମିଯାଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।
