ଆସିକା: ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଆସିକା ସହର ଉପକଣ୍ଠ ମେଡିକାଲ ଛକରେ ଜଣେ ଘରୋଇ ବସ୍ କଣ୍ଡକ୍ଟରଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ ଘଟଣାରେ ଆସିକା ପୋଲିସ ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେବଭୂମି ଗ୍ରାମର ମିଟୁ ବେହେରା, ବଳିଆ ବେହେରା ଏବଂ ଝଗଡ଼େଇ ଗ୍ରାମର ସୁନୀତା ବେହେରା। ପୋଲିସ ସେମାନଙ୍କଠାରୁ ଗୋଟିଏ କାତି, ଗୋଟିଏ ଦାଆ, ଚାରୋଟି ମୋବାଇଲ ଫୋନ୍ ଓ ଗୋଟିଏ ବୁଲେଟ୍ ମୋଟରସାଇକେଲ ଜବତ କରିଛି। ଏନେଇ ଆସିକା ଏସ୍ଡିପିଓ ସୌରଭ ରଞ୍ଜନ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଧରାକୋଟ ଥାନା ଅନ୍ତର୍ଗତ ଓଳମ୍ବା ଗ୍ରାମର ରାଜା ଭୂୟାଁ ଏକ ଘରୋଇ ବସ୍ ରେ କଣ୍ଡକ୍ଟର ଭାବେ କାମ କରନ୍ତି। ଆସିକା ଝଗଡ଼େଇ ଗ୍ରାମର ଜଣେ କଲେଜ ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବାକୁ ନେଇ ବିବାଦ ଉପୁଜିଥିଲା।

ଏହାକୁ କେନ୍ଦ୍ର କରି ଛାତ୍ରୀଙ୍କ ମା’ ସୁନୀତା ବେହେରା ଓ ତାଙ୍କ ଭାବୀ ଜ୍ୱାଇଁ ମିଟୁ ବେହେରା ରାଜାଙ୍କ ଉପରେ ଅସନ୍ତୁଷ୍ଟ ଥିବା ପୋଲିସ କହିଛି। ଏଥିସହ ରାଜା ସୁନୀତାଙ୍କୁ ବ୍ଲାକ୍ମେଲ୍ କରୁଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ପୋଲିସର ସୂଚନା ଅନୁସାରେ, ଯୋଜନାବଦ୍ଧ ଭାବେ ମିଟୁ ବେହେରା, ବଳିଆ ବେହେରା ଓ ସୁନୀତା ବେହେରା ଏହି ଆକ୍ରମଣ ଘଟାଇଥିବା ଅଭିଯୋଗ ହୋଇଛି। ରାଜା ବସ୍ରୁ ଓହ୍ଲାଇ ଯାତ୍ରୀ ଉଠାଉଥିବା ସମୟରେ ଅଭିଯୁକ୍ତମାନେ ବୁଲେଟ୍ରେ ଆସି ତାଙ୍କୁ ଆକ୍ରମଣ କରିଥିଲେ। କାତି ଓ ଦାଆରେ ଆକ୍ରମଣ ଯୋଗୁଁ ସେ ଆହତ ହୋଇଥିଲେ। ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚାଲିଯାଇଥିଲେ। ସ୍ଥାନୀୟ ଲୋକେ ଆହତ ରାଜାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆସିକା ମେଡିକାଲକୁ ନେଇଥିଲେ।

ଏହି ଘଟଣା ପରେ ଆସିକା ଥାନାରେ ଲିଖିତ ଅଭିଯୋଗ ହେବାରୁ ପୋଲିସ କେସ୍ ନମ୍ବର ୬୦୨/୨୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆସିକା ଏସ୍ଡିପିଓ ସୌରଭ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ପୋଲିସ ଟିମ୍ ତଦନ୍ତ କରି ଘଟଣାର ତିନି ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା। ମିଟୁ ଓ ବଳିଆଙ୍କୁ ଆସିକା ଥାନା ଅନ୍ତର୍ଗତ କମାଗଡ଼ ଗ୍ରାମରୁ ଏବଂ ସୁନୀତାଙ୍କୁ ଆସିକାରୁ ଗିରଫ କରାଯାଇଥିଲା। ପରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
