ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୫୩ତମ ମ୍ୟାଚ୍ରେ ଚେନ୍ନାଇର ଦମ୍ଦାର ବିଜୟ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଘରୋଇ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୁ ୫ ୱିକେଟ୍ରେ ପରାସ୍ତ କରିଛି। ଋତୁରାଜ ଗାଏକ୍ୱାର୍ଡଙ୍କ ଦଳ ୨୦୪ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଚେନ୍ନାଇ ୧୯.୨ ଓଭରରେ ୫ଟି ୱିକେଟ୍ ହରାଇ ୨୦୮ ରନ୍ ସଂଗ୍ରହ କରିଛି। ତେବେ ଚେନ୍ନାଇର ବ୍ୟାଟର ଉର୍ଭିଲ ପଟେଲ ଆଇପିଏଲ୍ରେ ଇତିହାସ ରଚିଛନ୍ତି। ସେ ୧୩ଟି ବଲ୍ ଖେଳି ଅର୍ଦ୍ଧଶତକ ହାସଲ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଅର୍ଦ୍ଧଶତକ ହାସଲ ପରେ ସେ ନିଜ ପକେଟ ଭିତରୁ ଏକ କାଗଜ ବାହାର କରିଛନ୍ତି, ଯେଉଁଥିରେ ନିଜ ବାପାଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଲେଖିଛନ୍ତି। କାଗଜ ଖଣ୍ଡକୁ ଉପରକୁ ଟେକିଛନ୍ତି। ପୁଣି ହାତଯୋଡ଼ି ନମସ୍କାର କରିଛନ୍ତି, ଏହି ମନୋରମ ଦୃଶ୍ୟ ଦର୍ଶକଙ୍କର ହୃଦୟ ଜିତିଛି। ଚେନ୍ନାଇର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିବା ସହିତ ନିଜର ସମର୍ଥକମାନଙ୍କୁ ଖୁସି ବାଣ୍ଟିଥିଲେ। ପ୍ରାରମ୍ଭିକ ବ୍ୟାଟର ସଞ୍ଜୁ ସାମସନ୍ ଏବଂ ଗାଏକ୍ୱାର୍ଡ ପ୍ରଥମ ୱିକେଟ୍ ପାଇଁ୪୫ ରନ୍ ସଂଗ୍ରହ କରିଥିଲେ। ଏଥିରୁ ସାମସନ୍ଙ୍କ ବ୍ୟକ୍ତିଗତ ସ୍କୋର ୨୮ ଥିଲା, ଯିଏକି ୧୪ଟି ବଲ୍ ଖେଳି ୩ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଶିଭମ ଦୁବେ (୧୫) ଓ ପ୍ରଶାନ୍ତ ବୀର (୧୮) ଅପରାଜିତ ଫେରିଥିଲେ। ଲକ୍ଷ୍ନୌର ଦ୍ୱିତୀୟ ଶିକାର ହୋଇଥିଲେ ଉର୍ଭିଲ ପଟେଲ। କିନ୍ତୁ ସେ ଆଉଟ୍ ହେବା ପୂର୍ବରୁ ଇତିହାସ ରଚିଥିଲେ। ୧୩ଟି ବଲ୍ ଖେଳି ଅର୍ଦ୍ଧଶତକ ମାରିଥିଲେ। ଏଥିସହିତ ସେ ତାଙ୍କର ଇନିଂସରେ ମୋଟ୍ ୨୩ଟି ବଲ୍ର ସମ୍ମୁଖୀନ ହୋଇ ୨ଟି ଚୌକା ଏବଂ ୮ଟି ଛକା ବଳରେ ୬୫ ରନ୍ ସଂଗ୍ରହ କରିଥିଲେ। ଋତୁରାଜ ଆଉଟ୍ ହେବା ପୂର୍ବରୁ ୨୮ଟି ବଲ୍ର ସାମ୍ନା କରିଥିଲେ। ସେ ୩ଟି ଚୌକା ଏବଂ ୨ଟି ଛକା ବଳରେ ୪୨ ରନ୍ କରିଥିଲେ। ଡେୱାଲର୍ଡ ବ୍ରେଭିସ୍ଙ୍କ ବ୍ୟାଟରୁ ୧୦ ରନ୍ ମିଳିଥିଲା। ଘରୋଇ ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅତିଥି ଦଳ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୨୦୩ ରନ୍ ସଂଗ୍ରହ କରିଥିଲା। ଲକ୍ଷ୍ନୌ ପାଇଁ ପ୍ରାରମ୍ଭିକ ବ୍ୟାଟର ଜୋସ୍ ଇଂଲିଶ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ଏକାକୀ ୮୫ ରନ୍ ସଂଗ୍ରହ କରିଥିଲେ। ୩୩ଟି ବଲ୍ ଖେଳି ୧୦ଟି ଚୌକା ଏବଂ ୬ଟି ଛକା ମାରିଥିଲେ। ସେହିପରି ଶାହବାଜ ଅହମଦ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିଲେ। ସେ ୨୫ଟି ଅପରାଜିତ ୪୩ ରନ୍ ସଂଗ୍ରହ କରିଥିଲେ। ଏଥିରେ ସେ ୩ଟି ଚୌକା ଏବଂ ୩ଟି ଛକା ସାମିଲ କରିଥିଲେ। ଚେନ୍ନାଇର ପ୍ରାରମ୍ଭିକ ବ୍ୟାଟିଂ ଭଲ ଥିଲା। ଜୋସ୍ ଇଂଲିଶ ଏବଂ ମିଚେଲ ମାର୍ସ ପ୍ରଥମ ୱିକେଟ୍ ପାଇଁ ୭୭ ରନ୍ର ଭାଗିଦାରୀ କରିଥିଲେ। ଏଥିରୁ ମାର୍ଶ କେବଳ ୧୦ ରନ୍ ସଂଗ୍ରହ କରିଥିଲେ। ସେ ୧୦ଟି ବଲ୍ର ସମ୍ମୁଖୀନ ହୋଇ ଗୋଟିଏ ଛକା ମାରିଥିଲେ। ଚେନ୍ନାଇର ଦ୍ୱିତୀୟ ଶିକାର ହୋଇଥିଲେ ନିକୋଲାସ ପୁରନ। ସେ ମାତ୍ର ୧ ରନ୍ କରି କ୍ରିଜ୍ ଛାଡ଼ିଥିଲେ। ଅଧିନାୟକ ଋଷଭ ପନ୍ତ ୧୨ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୧୫ ରନ୍ କରିଥିଲେ। ଅକ୍ଷତ ରଘୁବଂଶୀ ୧୮ ରନ୍ ଏବଂ ହିମତ ସିଂହ ୧୭ ରନ୍ କରିଥିଲେ। ଚେନ୍ନାଇ ପାଇଁ ଜିମି ଓଭରଟନ୍ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ। ସେ ୪ ଓଭର ବୋଲିଂ କରିଥିଲେ। ୩୬ ରନ୍ ଖର୍ଚ୍ଚ କରି ଲକ୍ଷ୍ନୌର ୩ଜଣ ବ୍ୟାଟରକୁ ଆଉଟ୍ କରିଥିଲେ। ଅଂଶୁଳ କମ୍ବେଜଙ୍କୁ ୨ଟି ଏବଂ ନୂର ଅହମଦଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
