ପୁରୀ: ସାଙ୍ଗ ପାଲଟିଲା ସୈତାନ୍। ଏକାଠି ହୋଇ ମଦ ପିଇଲେ। ହେଲେ ସାମାନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ସାଙ୍ଗକୁ ମାରି ରାସ୍ତା କଡ଼ରେ ଫୋପାଡ଼ି ଦେଲେ। ଖାଲି ଏତିକି ନୁହେଁ ହତ୍ୟା ପରେ ଅଭିଯୁକ୍ତମାନେ ଏହାକୁ ଦୁର୍ଘଟଣାର ରୂପ ଦେଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ପୁରୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାର ତଦନ୍ତ ପରେ ପୁରୀ ସଦର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ନୟାଗଡର ପିଣ୍ଟୁ ମାଝୀ ସହିତ ପୁରୀ ଖଡ଼ିପଦା ଗ୍ରାମର ଅକ୍ଷୟ ରାଉତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକଙ୍କ ପରିଚୟ ଅନିଲ ରଞ୍ଜନ ପାଣି ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଅନିଲ ପାଣି ଏବଂ ପିଣ୍ଟୁ ଦୁଇ ସାଙ୍ଗ। ଉଭୟ ଜଣେ ମାଲିକ ପାଖରେ ରହି କାମ କରୁଥିଲେ। ତେବେ ଗତ ୨ ତାରିଖରେ ଉଭୟ ମଦ୍ୟପାନ କରିବା ପରେ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ପିଣ୍ଟୁ ଏବଂ ତା’ର ସହଯୋଗୀ ଅନିଲକୁ ଲୁହା ପାଇପରେ ଆକ୍ରମଣ କରି ହତ୍ୟା କରିଥିଲେ। ଏଥିସହ ଅନିଲର ବାଇକକୁ ଭାଙ୍ଗି ଦୁର୍ଘଟଣାର ରୂପ ଦେଇଥିଲେ।ତେବେ ଦୁର୍ଘଟଣାରେ ଭାଇର ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ଭାଇ ସୁନୀଲ ରଞ୍ଜନ ପାଣି ସଦର ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସମୟରେ ଏହା ଦୁର୍ଘଟଣା ନୁହେଁ ହତ୍ୟା ବୋଲି ଜାଣିବାକୁ ପାଇଥିଲା। ଏମିତିରେ ତଦନ୍ତକ୍ରମେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ପୋଲିସ ହତ୍ୟାରେ ବ୍ୟବହୃତ ଲୁହା ରଡ୍, ବାଇକ୍ ଏବଂ ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି ।
