ବାରିପଦା /ଉଦଳା ; ମୟୁରଭଞ୍ଜ ଜିଲ୍ଲା,କପ୍ତିପଦା ବ୍ଲକ, ପୋଡ଼ାଡ଼ିହା ଅଂଚଳର ବାସିନ୍ଦା, କବି ତଥା ସାମ୍ବାଦିକ ଇନ୍ଦ୍ରମଣି ବିନ୍ଧାଣୀ ଆଜି ଅକ୍ଟୋବର ୭ତାରିଖ ବୁଧବାର ଦିନ ଆମଗହଣରୁ ସବୁଦିନ ପାଇଁ ବିଦାୟ ନେଇଯାଇଛନ୍ତି । ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଦିର୍ଘଦିନଧରି ଚିକିତ୍ସାଧିନ ଥିଲେ । ଦେହାନ୍ତ ବେଳକୁ ତାଙ୍କର ବୟସ ୬୭ ବର୍ଷ ହୋଇଥିବାର ଜଣାଯାଇଛି । ସେ କବିତା ଆସର ମାନଙ୍କରେ ଖୁବ୍ ସୁନ୍ଦର ଭାବେ ସଂଯୋଜନା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେଥିପାଇଁ ସମଗ୍ର ଉତର ଓଡ଼ିଶାର ବିଭିନ୍ନ ସ୍ଥାନରେ କବିତା ସଂଯୋଜନା ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଉଥିଲା । ସେ ଦୈନିକ ଖବରକାଗଜ ‘କାଳାନ୍ତର’ ଓ ମାସିକ ପତ୍ରିକା ‘ଦୁର୍ମୁଖ’ରେ ଦିର୍ଘବର୍ଷ ଧରି ସାମ୍ବାଦିକତା କରିଛନ୍ତି । ତାଙ୍କଦ୍ୱାରା ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି । ସେହିପରି ସେ ବାରିପଦା ଆକାଶବାଣି କେନ୍ଦ୍ରର ଜଣେ ନିୟମିତ ଶ୍ରୋତା ଥିଲେ । ଆକାଶବାଣି କେନ୍ଦ୍ରରୁ ଶ୍ରୋତା ବନ୍ଧୁମାନଙ୍କର ଚିଠିପତ୍ରକୁ ନେଇ ପ୍ରଚାରିତ ହେଉଥିବା କାର୍ଯ୍ୟକ୍ରମ ‘ସମୀପେଷୁ’କୁ ସବୁବେଳେ ଚିଠି ଦେଉଥିଲେ । ଏପରିକି ‘ପ୍ରଭାତ ପରିକ୍ରମା’ କାର୍ଯ୍ୟକ୍ରମରେ ମଧ୍ୟ କେତେଥର ତାଙ୍କର କଣ୍ଠସ୍ୱର ଶୁଣିବାକୁ ମିଳିଛି । ଉଦଳାରେ ଆରଣ୍ୟକ ସାହିତ୍ୟ ସଂସଦ ଗଠନରେ ସେ ଅଗ୍ରଣୀ ଭୂମିକା ନେଇଥିବା ବେଳେ ନୁଦଡ଼ିହାରେ ‘ଆମ ସାହିତ୍ୟ ସଂସଦ’ ଓ ପୋଡ଼ାଡ଼ିହାରେ ‘ଶମୀବୃକ୍ଷ ସାହିତ୍ୟ ସଂସଦ’ର ସଂପାଦକ ଭାବରେ ଦାୟିତ୍ୱ ତୁଲାଇଥିଲେ । ଉତର ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ସମ୍ମେଳନ, ଉଦଳା ମହୋତ୍ସବ, ଧ୍ୱନିପ୍ରତିଧ୍ୱନି ପାଠକ ମଂଚର ବାର୍ଷିକ ଉତ୍ସବ ସମେତ ବିଭିନ୍ନ ଅନୁଷ୍ଠାନରୁ ସେ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି ।
