ନୀଳଗିରି: କୁଳଡିହା ବିଟ୍ -୧ ଅଧୀନରେ କାର୍ଯ୍ୟରତ ବନକର୍ମଚାରୀ ମଙ୍ଗଳବାର ରାତି ପ୍ରାୟ ୧୧.୩୦ସମୟରେ ସାତଘାଟି ଡ୍ୟାମ ଦିଗରେ ଏକ ବନ୍ଧୁକଫୁଟିବା ଶବ୍ଦଶୁଣି ତେଣ୍ଡା ବିଟ କୁ ଖବର ଦେଇଥିଲେ। ଯେତେବେଳେକି ଶିକାରୀମାନେ ତେଣ୍ଡାଗ୍ରାମକୁ ଆସୁଥିବାର ଜାଣି କୁଳଡିହା ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ଏବଂ ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ଏବଂ ଉଭୟବିଟର କର୍ମଚାରୀ ସାତଘାଟି ଡ୍ୟାମ ପିଛାଲ ନିକଟରେ ଶିକାରୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ରାତି ୩.୩୦ସମୟରେ ପେଟ୍ରୋଲିଂ ଟିମ ସନ୍ଦିଗ୍ଧ ଶିକାରୀଙ୍କ ଟର୍ଚ୍ଚଲାଇଟ୍ ଦେଖିବାକୁ ପାଇଥିଲେ ଏବଂ ଘଟଣାସ୍ଥଳରେ ଶିକାରୀଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ତନ୍ମଧ୍ୟରୁ ତେଣ୍ଡାଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂ(୩୩) କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଶିକାରୀମାନେ ଅନ୍ଧାରରେ ଖସିଯିବାରେ ସଫଳ ହୋଇଥିଲେ। ଗିରଫ ଶିକାରୀ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରୁ ଦୁଇଟି ମୃତ ଗୁରାଣ୍ଡି ସହିତ ଗୋଟିଏ ଦେଶୀବନ୍ଧୁକ ଜବତ କରିଥିଲେ। ପରେ ଗିରଫ ଅଭିଯୁକ୍ତ ଶିକାରୀଙ୍କୁ ବନ୍ଧୁକ ଏବଂ ମୃତ ଗୁରାଣ୍ଡି ଗୁଡିକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନୀଳଗିରି ସ୍ଥିତ କୁଳଡିହା କାର୍ଯ୍ୟାଳୟକୁ ଅଣାଯାଇ ମାନ୍ୟବର ନୀଳଗିରି ଉପଖଣ୍ଡ ଏସଡିଜେଏମଙ୍କ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ କୁଲଡ଼ିହା ଭାରାପ୍ରାପ୍ତ ରେଞ୍ଜ ଅଧିକାରୀ ସୌମ୍ୟରଞ୍ଜନ ମାଝୀ ,ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ହୃଷୀକେଶ ପ୍ରଧାନ, ଫରେଷ୍ଟଗାର୍ଡ ଶଶାଙ୍କ ଶେଖର ଜେନା, ରାକେଶ କୁମାର ବାରିକ, ଆଣ୍ଟି ପୋଚିଂ ସ୍କ୍ୱାର୍ଡ ର ସୁବାସ ସିଂ ସାମିଲଥିଲେ।
