ବାରିପଦା /ସାହାରପଡା ; କେନ୍ଦୁଝର ଜିଲ୍ଲାରେ ଗୋ-ଚାଲାଣକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ-ପାଟଣା ରାସ୍ତାର ସରାଶପଶି ନିକଟରେ ଗୋରୁ ବୋଝେଇ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ଗାଡ଼ିରେ ମୋଟ ୭ଟି ଗୋରୁ ଥିବା ବେଳେ ଦୁର୍ଘଟଣାରେ ୨ଟି ଗୋରୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଖବର ପାଇ ଘଟଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ ଗୋରୁଗୁଡ଼ିକ ସମ୍ପର୍କରେ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଗୋରୁ ଗୁଡ଼ିକ କେଉଁଠାରୁ ଆସୁଥିଲେ, କେଉଁଠାକୁ ନିଆ ଯାଉଥିଲା ଏବଂ ଏହା ପଛରେ କିଏ ରହିଛି, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ।
ପାଟଣାରେ ବ୍ୟବସାୟୀ ହତ୍ୟା ପରେ ନାକାବନ୍ଦୀ ।
ଅନ୍ୟ ପଟେ,କେନ୍ଦୁଝର ଜିଲ୍ଲା,ପାଟଣା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ଗୁଳି ଓ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ତାଙ୍କ ଟଙ୍କା ବ୍ୟାଗ୍ ଲୁଟି ନେଇଥିବା ଘଟଣା ଚର୍ଚ୍ଚାରେ ରହିଛି। ପାଟଣା-କେନ୍ଦେଇପୋଷି ରାସ୍ତାର ହନୁମାନ ଛକ ନିକଟ ଆକାଶିଆ ଜଙ୍ଗଲରେ ଘଟିଥିବା ଏହି ଘଟଣା ପରେ ପୋଲିସ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳ ଏବଂ ଜିଲ୍ଲା ସୀମାନ୍ତରେ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଏହାସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଯାନବାହନ ଯାଞ୍ଚ ଚାଲିଛି।

ବଢ଼ୁଛି ଚୋରି ଓ ଅବୈଧ ଚାଲାଣକୁ ନେଇ ଚିନ୍ତା
ଲଗାତାର ଘଟୁଥିବା ଏଭଳି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ଗୋ-ଚାଲାଣ, ବାଲି ଚାଲାଣ ଭଳି ଅବୈଧ କାର୍ଯ୍ୟକଳାପ ଉପରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ହେଉଥିବା ସତ୍ତ୍ୱେ ଏଭଳି ଘଟଣା ବାରମ୍ବାର କିପରି ଘଟୁଛି, ତାହା ଏବେ ବଡ଼ ପ୍ରଶ୍ନ। ଗାଁ ଗହଳିରେ ଚୋରି ଘଟଣାଠାରୁ ଆରମ୍ଭ କରି ଅବୈଧ ଗୋ-ଚାଲାଣ ଓ ବାଲି ଚାଲାଣ ପର୍ଯ୍ୟନ୍ତ ବିଭିନ୍ନ ଘଟଣା ସାମ୍ନାକୁ ଆସୁଥିବାରୁ ପୋଲିସର ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ନେଇ ସାଧାରଣରେ ଦାବି ହେଉଛି। ତେବେ ଗୋରୁ ବୋଝେଇ ବୋଲେରୋ ଦୁର୍ଘଟଣା ଘଟଣାରେ ପୋଲିସର ତଦନ୍ତ ପରେ ଗୋ-ଚାଲାଣର ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
