ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବନାଞ୍ଚଳ ଅଧୀନ କାଳଷଣ୍ଢପୁର ଛକରେ ବାରହା ମାଂସ ବିକ୍ରି ଅଭିଯୋଗରେ ବନ ବିଭାଗ ଚଢ଼ାଉ କରି ଜଣକୁ ଗିରଫ କରିବା ସହ କଞ୍ଚା ମାଂସ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ କୋଟିନଡ଼ା ଥାନା ଅଧୀନ ହରିଡ଼ାପଦର ଗ୍ରାମର କବିରାଜ ନାଇକ (୫୦) ବୋଲି ଜଣାପଡ଼ିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଆସିକା ବନ ବିଭାଗ ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟରେ କାଳଷଣ୍ଢପୁର ଛକରେ ଚଢ଼ାଉ କରିଥିଲା। ଏହି ସମୟରେ ବାରହା ମାଂସ ସହ କବିରାଜଙ୍କୁ ଧରାଯାଇଥିଲା। ଏହି ଘଟଣାକୁ ନେଇ ଆସିକା ରେଞ୍ଜ ପକ୍ଷରୁ କେସ୍ ନମ୍ବର ୧୦୪/୨୬ ରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ, ୧୯୭୨ର ସଂପୃକ୍ତ ଧାରାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏ.ସି.ଏଫ୍ ପ୍ରଶାନ୍ତ କୁମାର ସାହୁ, ରେଞ୍ଜର ଅନିଲ କୁମାର ପଣ୍ଡା, ଫରେଷ୍ଟର ଶରତ କୁମାର ବେହେରା, ରାଜେନ୍ଦ୍ର ଗୌଡ଼, ପୁଷ୍ପାଞ୍ଜଳି ଜେନା, ଫରେଷ୍ଟ ଗାର୍ଡ ବିଷ୍ଣୁପ୍ରିୟା ପ୍ରଧାନ ଓ ରାଜକିଶୋର ବେହେରା ପ୍ରମୁଖ ସାମିଲ ଥିଲେ। ଆସିକା ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ବାରହାଙ୍କ ଅବାଧ ବିଚରଣ ଯୋଗୁଁ ଫସଲ କ୍ଷତି ହେଉଥିବା ବେଳେ କେତେକ ସ୍ଥାନରେ ବେଆଇନ ଭାବେ ବାରହା ଶିକାର ଓ ମାଂସ ବିକ୍ରି ହେଉଥିବା ଅଭିଯୋଗ ରହିଛି। ପୂର୍ବରୁ ମଧ୍ୟ ଜଗଦଳପୁର, ନବରତ୍ନପୁର, କୈବଲପୁର ଓ ସାହସପୁର ଅଞ୍ଚଳରୁ ବାରହା ଶିକାର ଓ ମାଂସ ବିକ୍ରି ଘଟଣା ସାମ୍ନାକୁ ଆସିଥିଲା। ବନ ବିଭାଗ ପକ୍ଷରୁ ଏଭଳି ବେଆଇନ ଶିକାର ରୋକିବା ପାଇଁ ଚଢ଼ାଉ ଜାରି ରହିଛି।
