ଭଞ୍ଜନଗର: ବୁଲେଟ୍ ରେ ଘରକୁ ଫେରୁଥିବା ବେଳେ, ଦୁର୍ଘଟଣା ଘଟି ଭଂଜନଗର ଥାନା ଅନ୍ତର୍ଗତ ତୁଳସୀ ପଲ୍ଲୀ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟଜଣେ ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ରାକେଶ ମଲ୍ଲିକ । ସୋରଡ଼ା ରୁ କଣ୍ଟାପୀଡ଼ା ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ, ରାସ୍ତାରେ ଦୁର୍ଘଟଣା ଘଟିଥିଲା । ସୂଚନା ଅନୁଯାୟୀ, ତୁଳସୀପଲ୍ଲୀ ଗ୍ରାମର ୬ ଜଣ ସାଙ୍ଗ ମିଶି ଦୁଇଟି ବାଇକ୍ ଓ ବୁଲେଟ୍?ରେ ସୋରଡ଼ା କଣ୍ଟାପୀଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ଦେଖି, ଘରକୁ ଫେରୁଥିବା ବେଳେ ବୁଲେଟ୍?ରେ ଆଗରେ ବଡ଼ ଭାଇ ଦୀନେଶ ମାଲିକ ଓ ପଛରେ ସାନ ଭାଇ ରାକେଶ ମାଲିକ ଆସୁଥିଲେ । ତେବେ ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ଦୁଇ ଭାଇ ଗୁରୁତର ଆହତ ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଥିବା ଅନ୍ୟ ଭାଇ ଦୀନେଶଙ୍କ ଚିକିତ୍ସା ଜାରି ରହିଛି ।
