ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୪୯ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ସନରାଇଜର୍ସ ହାଇଦ୍ରାବାଦ ସହଜରେ ପରାସ୍ତ କରିଛି। ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ କରି ୩୩ ରନ୍ରେ ପଞ୍ଜାବକୁ ହରାଇଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବୁଧବାର ପଞ୍ଜାବ ୨୩୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୨୦୨ ରନ୍ ସଂଗ୍ରହ କରିଥିଲା। ଆରମ୍ଭରୁ ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ଦଳ ମାତ୍ର ୪ ରନ୍ରେ ପ୍ରାରମ୍ଭିକ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ଏବଂ ପ୍ରଭସିମରନ ସିଂହଙ୍କୁ ହରାଇଥିଲା। ଉଭୟ ବ୍ୟାଟର ଯଥାକ୍ରମେ ୧ ଏବଂ ୩ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଅଧିନାୟକ ଶ୍ରେୟସ ଆୟର ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନଥିଲେ। ସେ ମାତ୍ର ୫ ରନ୍ କରି ପାଭିଲିଅନ ଫେରିଯାଇଥିଲେ। ପଞ୍ଜାବ ପାଇଁ କୋପର କନୋଲି ଲଢ଼ିଥିଲେ। ସେ ଲଢୁଆ ବ୍ୟାଟିଂ କରି ମଧ୍ୟ ଦଳକୁ ବିଜୟୀ କରାଇ ପାରି ନଥିଲେ। ତାଙ୍କ ସହିତ ଭଲ ଭାଗିଦାରୀ ହେବା ପାଇଁ କେହି ନଥିଲେ। କନୋଲି ୫୯ଟି ବଲ୍ ସାମ୍ନା କରି ୭ଟି ଚୌକା ଏବଂ ୮ଟି ଛକା ବଳରେ ୧୦୭ ରନ୍ ସଂଗ୍ରହ କରିଥିଲେ। ମାର୍କସ ଷ୍ଟୋଇନିସ ଏବଂ ସୂର୍ଯ୍ୟାଂଶ ଶେଡଗେ ଯଥାକ୍ରମେ ୨୮ ଏବଂ ୨୫ ରନ୍ କରିଥିଲେ। ଟସ୍ ଜିଣି ପଞ୍ଜାବ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଈଶାନ କିଶନ ଏବଂ ହେନ୍ରିଚ୍ କ୍ଲାସେଁଙ୍କ ଅର୍ଦ୍ଧଶତକ ବଳରେ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୨୩୫ରନ୍ ସଂଗ୍ରହ କରିଥିଲା। ପଞ୍ଜାବର ପ୍ରାରମ୍ଭିକ ବ୍ୟାଟିଂ ଭଲ ଥିବାର ସ୍କୋର ୨୩୫ ରନ୍ ହୋଇଥିଲା। ଦଳର ସମସ୍ତ ୫ଜଣ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ହେନରିକ୍ କ୍ଲାସେଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୩ଟି ବଲ୍ର ସାମ୍ନା କରି ୩ଟି ଚୌକା ଏବଂ ୪ଟି ଛକା ବଳରେ ୬୯ ରନ୍ ସଂଗ୍ରହ କରିଥିଲେ। ଈଶାନ କିଶନଙ୍କ ବ୍ୟାଟରୁ ୫୫ ରନ୍ ସଂଗ୍ରହ କରିଥିଲେ। ସେ ୩୨ଟି ବଲ୍ର ସାମ୍ନା କରିଥିଲେ, ଯେଉଁଥିରେ ୨ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ୧୩ଟି ବଲ୍ ଖେଳି ୨ଟି ଚୌକା ଏବଂ ୪ଟି ଛକା ସହିତ ୩୫ ରନ୍ କରିଥିଲେ। ସେହିପରି ଟ୍ରାଭିସ ହେଡ୍ ୩ଟି ଚୌକା ଏବଂ ୩ଟି ଛକା ବଳରେ ୧୯ଟି ବଲରୁ ୩୮ ରନ୍ କରିଥିଲେ। ଯୁବ ବ୍ୟାଟର ନୀତିଶ କୁମାର ରେଡ୍ଡୀ ୧୩ଟି ବଲ୍ ଖେଳି ୨ଟି ଚେକା ଏବଂ ୨ଟି ଛକା ସହିତ ଅପରାଜିତ ୨୯ ରନ୍ ସଂଗ୍ରହ କରିଥିଲେ। ଅପରପକ୍ଷେ ପଞ୍ଜାବର ବୋଲିଂ ପ୍ରଦର୍ଶନ ଉତ୍ସାହଜନକ ନଥିବାରୁ ହାଇଦ୍ରାବାଦର ବ୍ୟାଟରମାନେ ଏଥିରୁ ଲାଭ ଉଠାଇଥିଲେ। ବୋଲର ଅର୍ଶଦୀପ ସିଂହ, ଲକି ଫରଗୁସନ, ୟୁଜବେନ୍ଦ୍ର ଚହଲ ଏବଂ ବିଜୟକୁମାର ବୈଶ୍ୟକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
