ପୁରୀ: ଆମର ସାମାଜିକ ସଂଗଠନ ‘ସାହିଭାଇ’ ପକ୍ଷରୁ ପୂଜ୍ୟପୂଜା ଓ ସ୍ୱାଧୀନତାର ସ୍ମାରକୀ ସ୍ୱରୂପ, ଗାନ୍ଧୀ ଜୟନ୍ତୀ ରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ (ଅକ୍ଟୋବର ୦୨-୦୯) ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସଂକଳ୍ପ ସପ୍ତାହର ଶୁଭାରମ୍ଭ ହୋଇଯାଇଛି।ଏହି ଅବସରରେ ସଂକଳ୍ପ ସପ୍ତାହର ପ୍ରଥମ ଦିବସକୁ ମହାପୁରୁଷ ଓ ଅମର ଶହୀଦମାନଙ୍କ ସ୍ମୃତିରେ ସମର୍ପିତ କରାଯାଇଛି। ପୁରୀ ସହରର ବିଭିନ୍ନ ସ୍ଥାନମାନଙ୍କରେ ରହିଥିବା ଅବହେଳିତ ଓ ଧୂଳିଧୂସରିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ସଂଗଠନର ସଭ୍ୟାସଭ୍ୟ ମାନେ ମିଳିମିଶି ନିଷ୍ଠାର ସହ ସଫାସୁତୁରା କରିଛନ୍ତି।

ଏହା ସହ ପ୍ରତିମାଗୁଡ଼ିକରେ ଚନ୍ଦନ ସିନ୍ଦୂର ଲଗାଇ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସାହିଭାଇ ପକ୍ଷରୁ ପ୍ରତ୍ୟେକ ସଂକ୍ରାନ୍ତିରେ ଜାରି ରହିଥିବା ଏହି ଅଭିଯାନ କେବଳ କଂକ୍ରିଟ୍ କିମ୍ବା ପଥର ମୂର୍ତ୍ତିର ରକ୍ଷଣାବେକ୍ଷଣ ନୁହେଁ, ବରଂ ଆଗାମୀ ପିଢ଼ି ନିକଟରେ ମହାପୁରୁଷଙ୍କ ତ୍ୟାଗ, ଆଦର୍ଶ ଓ ସଂଗ୍ରାମକୁ ଜୀବନ୍ତ ରଖିବାର ଏକ ସଂକଳ୍ପ।
ମାଟିର ସେବା ଓ ଇତିହାସକୁ ସମ୍ମାନ ଜଣାଇବା ପାଇଁ ସ୍ୱାର୍ଥପରତାରୁ ଉପରକୁ ଉଠି ମହାପୁରୁଷଙ୍କ ଆଦର୍ଶରେ ଏକ ବଳିଷ୍ଠ ସମାଜ ଗଠନ ନିମନ୍ତେ ଏହି ସଂକଳ୍ପ ଯାତ୍ରାରେ ସାମିଲ ହେବାକୁ ସାହିଭାଇ ପକ୍ଷରୁ ଆଜିର ଯୁବପିଢ଼ି ଓ ସାଧାରଣ ଜନତାଙ୍କୁ ନିବେଦନ କରାଯାଇଛି।ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ର ପରିଚାଳନା କମିଟି ସଦସ୍ୟ ତଥା ସେବା ପ୍ରମୁଖ ଶ୍ରୀ ଅଜୟ କୁମାର ପ୍ରଧାନ ଙ୍କ ନେତୃତ୍ୱ ଓ ବରିଷ୍ଠ ସଦସ୍ୟ ରାଜା ମହାନ୍ତିଙ୍କ ମାର୍ଗଦର୍ଶନରେ ଦୁର୍ଗା, ସଂଯୁକ୍ତା ଆପଟ , ବିଜୟ ଦାସ, ରମାକାନ୍ତ, ଲିନୁ ନାୟକ, ତନ୍ମୟ , ନିକି , ଅଶୋକା ମଞ୍ଜରୀ ନାୟକ, ବିକ୍ରମ , ଲକ୍ଷ୍ମୀଧର ବେହେରା , ଦିପୁ, ସନ୍ତୋଷ ଶେଖର ବିନ୍ଧାଣୀ, ଦୁଷ୍ମନ୍ତ ତଥା ଅନ୍ୟ ସମସ୍ତ ସହଯୋଗୀ ମାନଙ୍କ ପ୍ରତ୍ୟେକ୍ଷ ଓ ପରୋକ୍ଷ ସହଯୋଗରେ ସମ୍ପନ୍ନ କରାଯାଇଛି।
