ବାରିପଦା: ବାରିପଦା ବସଷ୍ଟାଣ୍ଡ ରେ ଅଢ଼େଇ ବର୍ଷର କୁନି ପୁଅ ଉପରେ ମାଡ଼ିଗଲା ବସ । ଗୁରୁତର ଅବସ୍ଥାରେ ପିଲାଟିକୁ ବାରିପଦା ମେଡିକାଲ ଆଇସିୟୁ ରେ ଭର୍ତ୍ତିକରାଯାଇଥିଲା । ଦିର୍ଘ ସମୟ ମୃତ୍ୟୁ ସହ ଲଢ଼େଇ କରି ଆଖି ବୁଜିଲା କୁନି ପୁଅ । ପିଲାଟି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ଧାରୀ ଗ୍ରାମର ବୋଲି ଜଣାପଡ଼ିଥିବା ବେଳେ ବସ ଚାଳକଙ୍କ ଅସାବଧାନତା ହେତୁ ଏଭଳି ଦୁର୍ଘଟଣା ଘଟିଥିବା ର କୁହାଯାଉଛି । ସୂଚନା ମୁତାବକ ନିଜଘର ଅନ୍ଧାରୀ ରୁ ଏକ ଅଟୋ ଯୋଗେ ନିଜ ଶଶୁର ଘର ବଡସାହି ଥାନା ଅନ୍ତର୍ଗତ ଡଙ୍ଗାଡିହା ବସରେ ଯିବା ପାଇଁ ଟୁନା ହାଁସଦାଙ୍କ ପରିବାର ବାରିପଦା ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାରେ ବସ ଛାଡିବା ସମୟ ପଚାରିବା ପରେ ଛୁଆକୁ ଆଇସକ୍ରିମ ଓ କୁରକୁରେ କିଣିବା ପାଇଁ ପାଖରେ ଥିବା ଦୋକାନକୁ ଯାଇଥିଲେ । ମଧ୍ୟାହ୍ନ୧୨.୩୦ମିନିଟ ସମୟରେ ବାରିପଦାରୁ ଚନ୍ଦନେଶ୍ୱର ଯିବାକୁ ଗୀତାଞ୍ଜଳୀ ନାମକ ଘରୋଇ ବସଟି ତରତର ହୋଇ ବସଷ୍ଟାଣ୍ଡ ଭିତରକୁ ମାଡିଯାଉଥିଲା ବେଳେ ମା ଓ ଛୁଆ ଲିପୁନକୁ ସାଇଡରୁ ବସଟି ଧକ୍କା ଦେବା ଫଳରେ ମା ପୁଅ ତଳେ ପଡିଯାଇଥିଲେ । ଏହି ଦୁର୍ଘଟଣାରେ ମା ଅଳ୍ପକେ ବର୍ତ୍ତୀଯାଇଥିବା ବେଳେ ପୁଅ ଲିପୁନର ଜଙ୍ଘ ଉପରେ ବସଚକ ଚଢ଼ିଯାଇଥିଲା । ଗୁରୁତର ଅବସ୍ଥାରେ ଲିପୁନକୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁ ରେ ଭର୍ତ୍ତୀ କରା ଯାଇଥିଲା ବେଳେ ମୃତ୍ୟୁ ସହ ସଂଗ୍ରାମ କରି ଲିପୁନ ଆଖିବୁଜି ଦେଇଛି । ବାରିପଦା ଟାଉନଥାନା ପୋଲିସ ବସଷ୍ଟାଣ୍ଡରୁ ବସଟିକୁ ଜବତ କରି ତଦନ୍ତ ଜାରୀ ରଖିଛି । ଅନ୍ୟପଟେ ବସଷ୍ଟାଣ୍ଡ ରେ ବସମାଲିକଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଏପରି ଦୁର୍ଘଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଛୋଟ ସ୍ଥାନରେ ପ୍ରତିଦିନ ଶହ ଶହ ବସ ଯାତାୟାତ କରୁଥିବା ବେଳେ ଯାତ୍ରୀଙ୍କ ସୁରକ୍ଷା ପାଇଁ କୌଣସି ସୁବିଧା ନଥିବାରୁ ଏଭଳି ଘଟଣା ଘଟିଲା । ବସ ଗୁଡିକ ଖୁନ୍ଦିଖାନ୍ଦୀ ହୋଇ ପ୍ରବେଶ ଓ ପ୍ରସ୍ଥାନ କରୁଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ବସଷ୍ଟାଣ୍ଡର ସ୍ଥାନ ପରିବର୍ତ୍ତନ କରିବା ନିତାନ୍ତ ଆବଶ୍ୟକ । ନଚେତ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି । ସେପଟେ ଟୁନା ହାଁସଦାଙ୍କ ସମସ୍ତ ସାମାନ ହଜିଯାଇଛି । ଅତ୍ୟନ୍ତ ଗରିବ ପରିବାରର ଲୋକ ହୋଇଥିବା କାରଣରୁ ସମସ୍ତ ସହାୟତା ଯୋଗାଇଦେବାକୁ ସେ ଦାବି କରିଛନ୍ତି ।
