ଷ୍ଟକହୋମ: କାନାଡୀୟ ଲେଖିକା ଆନ୍ କାର୍ସନ୍ ସାହିତ୍ୟ କ୍ଷେତ୍ରରେ ୨୦୨୬ ମସିହାର ନୋବେଲ ପୁରସ୍କାର ଜିତିଛନ୍ତି ବୋଲି ସ୍ୱିଡିଶ୍ ଏକାଡେମୀ ଗୁରୁବାର ଦିନ ଘୋଷଣା କରିଛି। ଏକାଡେମୀ ତାଙ୍କ କାର୍ଯ୍ୟକୁ “ସାହସିକ ଏବଂ ଅଭିନବ ସୃଷ୍ଟି’ ବୋଲି ବର୍ଣ୍ଣନା କରିବା ସହ ସମସାମୟିକ ଲିଖନର ନୂତନ ଶୈଳୀ ବିକାଶ ପାଇଁ ଶାସ୍ତ୍ରୀୟ ସାହିତ୍ୟ ସହ ଏହାର ସମ୍ପୃକ୍ତି ପାଇଁ ତାଙ୍କୁ ସ୍ୱୀକୃତି ପ୍ରଦାନ କରିଛି। ୭୬ ବର୍ଷୀୟା କାର୍ସନ୍ ଏପରି ସୃଷ୍ଟିକର୍ମ ପାଇଁ ଖ୍ୟାତି ଅର୍ଜନ କରିଛନ୍ତି ଯାହା ପ୍ରାୟତଃ କବିତା, କାଳ୍ପନିକ ସାହିତ୍ୟ ଏବଂ ପାଣ୍ଡିତ୍ୟପୂର୍ଣ୍ଣ ରଚନା ମଧ୍ୟରେ ଥିବା ସୀମାରେଖାକୁ ଅତିକ୍ରମ କରିଥାଏ। ନୋବେଲ ପୁରସ୍କାର ଜଣେ ବ୍ୟକ୍ତିଙ୍କ ସମଗ୍ର ଜୀବନବ୍ୟାପୀ ସୃଷ୍ଟିକର୍ମ ପାଇଁ ପ୍ରଦାନ କରାଯାଇଥାଏ ଏବଂ ଏହାକୁ ବିଶ୍ୱ ସାହିତ୍ୟ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ଭାବରେ ବିବେଚନା କରାଯାଏ; ଏଥିରେ ବିଜେତାଙ୍କୁ ୧୨ ନିୟୁତ ସ୍ୱିଡିଶ୍ କ୍ରୋନର୍ (ପ୍ରାୟ ୯,୦୦,୦୦୦ ପାଉଣ୍ଡ ବା ୧.୨ ନିୟୁତ ଡଲାର) ପ୍ରଦାନ କରାଯାଏ। ୨୦୧୯ ମସିହାରେ, ତାଙ୍କର ପ୍ରଦର୍ଶନୀ କଳା “ନର୍ମା ଜିନ୍ ବେକର୍ ଅଫ୍ ଟ୍ରୟ’ ଇତିହାସର ବିଭିନ୍ନ କାଳଖଣ୍ଡର ପ୍ରସିଦ୍ଧ ସୁନ୍ଦରୀ ନାରୀ – ଟ୍ରୟର ହେଲେନ୍ ଏବଂ ମାରିଲିନ୍ ମନରୋଙ୍କ ମଧ୍ୟରେ ଏକ ସମ୍ପର୍କ ସ୍ଥାପନ କରିଥିଲା। ୨୦୨୧ ମସିହାରେ, ସେ ୟୁରିପିଡିସ୍ଙ୍କ ପ୍ରାଚୀନ କାହାଣୀର ଏକ ଚିତ୍ର-ଆଧାରିତ ରୂପାନ୍ତର “ଦି ଟ୍ରୋଜାନ୍ ୱିମେନ୍: ଏ କମିକ୍’ ପ୍ରକାଶ କରିଥିଲେ ଏବଂ ଗତ ବର୍ଷ ଲଣ୍ଡନରେ ସୋଫୋକ୍ଲିସ୍ଙ୍କ “ଇଲେକ୍ଟ୍ରା’ର ତାଙ୍କ ଅନୁବାଦ ଉପରେ ଆଧାରିତ ନାଟକ ମଞ୍ଚସ୍ଥ ହୋଇଥିଲା, ଯେଉଁଥିରେ ବ୍ରି ଲାର୍ସନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସ୍ୱିଡିଶ୍ ଏକାଡେମୀର ସ୍ଥାୟୀ ସଚିବ ଇଙ୍ଗ୍ରିଡ୍ କାର୍ଲବର୍ଗ କହିଛନ୍ତି ଯେ ସାର୍ବଜନୀନ ଘୋଷଣା ପୂର୍ବରୁ ସେ ଫୋନ୍ ମାଧ୍ୟମରେ କାର୍ସନ୍ଙ୍କୁ ଏହି ଖବର ଜଣାଇଥିଲେ। କାର୍ଲବର୍ଗ କହିଛନ୍ତି, ସେ ମୋତେ କେବଳ ଏତିକି କହିପାରିଥିଲେ ଯେ ସେ ସେହି ସମୟରେ ଆଇସଲ୍ୟାଣ୍ଡରେ ଅଛନ୍ତି ଏବଂ ସେଠାରେ ପବନର ଶବ୍ଦ ଶୁଣୁଛନ୍ତି। ସେ ଆଶ୍ଚର୍ଯ କାର୍ସନ୍ଙ୍କ ଉଲ୍ଲେଖନୀୟ କୃତିଗୁଡ଼ିକ ମଧ୍ୟରେ ରହିଛି ‘ଦି ଗ୍ଲାସ୍ ଏସେ’ ‘ଅଟୋବାୟୋଗ୍ରାଫି ଅଫ୍ ରେଡ୍: ଏ ନଭେଲ୍ ଇନ୍ ଭର୍ସ’ ‘ନକ୍ସ’, ‘ଫ୍ଲୋଟ୍” ଏବଂ ‘ଦି ବ୍ୟୁଟି ଅଫ୍ ଦି ହଜବ୍ୟାଣ୍ଡ୍: ଏ ଫିକ୍ସନାଲ୍ ଏସେ ଇନ୍ ୨୯ ଟାଙ୍ଗୋସ୍’। ତାଙ୍କର ଅନୁବାଦଗୁଡ଼ିକ ପ୍ରାୟତଃ ପ୍ରାଚୀନ ରଚନାଗୁଡ଼ିକୁ ଏକ ଆଧୁନିକ ରୂପ ପ୍ରଦାନ କରିଥାଏ। ଓଲ୍ସନ୍ କହିଛନ୍ତି, ଦୃଶ୍ୟକଳାକାର, ନୃତ୍ୟ-ନିର୍ଦ୍ଦେଶକ ତଥା ଅପେରା ଓ ନାଟକ ନିର୍ଦ୍ଦେଶକମାନଙ୍କ ସହ ତାଙ୍କର ସହଯୋଗିତା ସେହି ସ୍ୱାଧୀନତାକୁ ପ୍ରମାଣିତ କରେ, ଯାହା ସହିତ ସେ ସାହିତ୍ୟିକ ଆଶା ଓ ନିୟମାବଳୀକୁ ଗ୍ରହଣ କରନ୍ତି। ୧୯୯୦ ଦଶକରୁ ଆନ୍ତର୍ଜାତୀୟ କଳା ଓ ସାହିତ୍ୟ ଜଗତରେ ତାଙ୍କ କାର୍ଯ୍ୟର ଯେଉଁ ଅସାଧାରଣ ଗୁରୁତ୍ୱ ରହିଆସିଛି, ତାହା ପଛରେ ଏହି ବିଷୟଟି ହିଁ ନିହିତ ରହିଛି।
