ବାଲୁଗାଁ: ଚିଲିକାରେ ମାଛ ମାରିବାକୁ ଯାଇ ମଝି ଚିଲିକାରେ ଡ଼ଙ୍ଗାରୁ ପଡ଼ି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି।ଏଭଳି ଦୁଃଖଦ ଘଟଣା ଘଟିଛି ଖୋରଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ମାନସିଂହପୁର ଗ୍ରାମରେ।ଖବର ମୁତାବକ ଶୁକ୍ରବାର ସକାଳେ ମାନସିଂହପୁର ଗ୍ରାମର ମତ୍ସ୍ୟଜୀବି ବିଜୟ ବେହେରା ପ୍ରତିଦିନ ଭଳି ଚିଲିକାକୁ ମାଛ ମାରିବା ପାଇଁ ଯାଇଥିଲେ।ମାଛ ମାରୁଥିବା ସମୟରେ କୌଣସି କାରଣରୁ ହଠାତ ଡ଼ଙ୍ଗାରୁ ଖସିପଡ଼ି ଚିଲିକା ପାଣିରେ ବୁଡ଼ି ଯାଇଥିଲେ।ସଙ୍ଗେ ସଙ୍ଗେ ଅନ୍ୟ ସାଥୀ ମତ୍ସ୍ୟଜୀବୀଙ୍କ ସହାୟତାରେ ବହୁ ଖୋଜାଖୋଜି ପରେ ବିଜୟଙ୍କୁ ଉଦ୍ଧାର କରି ଡ଼ଙ୍ଗାରେ ଯାଇଥିବା ଦୁଇ ଜଣ ସହଯୋଗୀ ନିଜ ଗ୍ରାମ ମାନସିଂହପୁରକୁ ଆଣିଥିଲେ।

ମାନସିଂହପୁର ଗ୍ରାମ ପାଲାପଡିଆ ସାହିର ମୃତ ବିଜୟ ବେହେରାଙ୍କ ପରିବାର କହିଲେ ବୁଢ଼ୀ ମା,ଧର୍ମପତ୍ନୀ ଓ ତିନି ସନ୍ତାନ।ଏକମାତ୍ର ରୋଜଗାରିଆ ବିଜୟ ଚିଲିକାରୁ ମାଛ ମାରି ସେମାନଙ୍କ ପ୍ରତିପୋଷଣ କରିଆସୁଥିବା ବେଳେ ତାଙ୍କ ବିୟୋଗରେ ପରିବାର ଭାଙ୍ଗି ପଡ଼ିଛି।ମାନସିଂହପୁର ଗ୍ରାମର ସରପଞ୍ଚ ପ୍ରତିନିଧି ରତ୍ନାକର ବେହେରା ମୃତକଙ୍କ ଘରେ ପହଞ୍ଚି ସାହାର୍ଯ୍ୟର ହାତ ବଢ଼ାଇ ଥିବାବେଳେ ଗ୍ରାମବାସୀ ଓ ମତ୍ସ୍ୟଜୀବୀ ମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ସାହାର୍ଯ୍ୟ ସହଯୋଗ ପାଇଁ ନିବେଦନ କରିଛନ୍ତି।
