ବାରିପଦା; ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଆୟୋଜିତ ଆନ୍ତ ମହାବିଦ୍ୟାଲୟ ସ୍ତରୀୟ କବାଡ଼ି ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ବିଶ୍ୱବିଦ୍ୟାଳୟର ନିଜସ୍ୱ ଇଣ୍ଡୋର ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟାନ୍ସି ଆଣ୍ଡ ମ୍ୟାନେଜମେଣ୍ଟ (ଏମସିଏଏମ) ବାରିପଦାର ମହିଳା କବାଡ଼ି ଦଳ ଚମତ୍କାର ପ୍ରଦର୍ଶନ କରି ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚରେ ଏମସିଏଏମ ମହିଳା ଦଳ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ (ଏମପିସି)କୁ ୬୪-୧୪ ପଏଣ୍ଟ ରେ ପରାସ୍ତ କରି ବିଜୟ ମୁକୁଟ ହାସଲ କରିଥିଲା। ଅନ୍ୟପକ୍ଷରେ ପୁରୁଷ କବାଡ଼ିର ଫାଇନାଲ ମୁକାବିଲା ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା। ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ଏମସିଏଏମକୁ ଅତ୍ୟନ୍ତ ଅଳ୍ପ ବ୍ୟବଧାନରେ ପରାସ୍ତ କରି ଚାମ୍ପିଅନ ହୋଇଥିବାବେଳେ ଏମସିଏଏମ ପୁରୁଷ ଦଳ ରନର୍ସଅପ ହୋଇଛି । ପ୍ରତିଯୋଗିତାରେ ବିଭିନ୍ନ ମହାବିଦ୍ୟାଳୟ ର ୧୯ ଟି ଟିମ ଭାଗ ନେଇଥିବା ବେଳେ ବିଭିନ୍ନ ମ୍ୟାଚ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ ରଞ୍ଜନ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ର ସତ୍ୟନାରାୟଣ ବାରିକ ଓ ଏମସିଏଏମର କ୍ରୀଡ଼ା ଶିକ୍ଷକ ସମ୍ବିତ କୁମାର ମିଶ୍ର, ବାସ୍ତବ ମହାନ୍ତ ଓ ବିଭିନ୍ନ ମହାବିଦ୍ୟାଳୟର କ୍ରୀଡା ଅଧିକାରୀ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ। ଉଦଯାପନୀ ସମାରୋହରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ.) ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଦଳକୁ ଟ୍ରଫି ଓ ସମ୍ମାନ ପ୍ରଦାନ କରିଥିଲେ । ଶ୍ରେଷ୍ଠ ଖେଳାଳି ଭାବେ ପୁରୁଷ ବିଭାଗରେ ମହାରାଜା ପୂର୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସୌରଭ ଦାସ ଓ ମହିଳା ବିଭାଗ ରେ ଏମସିଏଏମ ର ପୂଜା ପଲେଇ ଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟତମ ଅତିଥି ଭାବେ ପି ଜି କାଉନସିଲ ର ଅଧକ୍ଷ ଡ଼ ରାଜେଶ କୁମାର ସିଂହ, ଉପ ସଭାପତି ଡ଼ ସୁଦାମ ସାହୁ ଓ ଖେଳ ପରିଷଦ ର ନିର୍ଦେଶକ ପ୍ରଫେସର ବିଶ୍ୱଜିତ ରଥ ଉପସ୍ଥିତ ରହି କୃତି କ୍ରୀଡ଼ାବିତ ମାନଙ୍କୁ ସମ୍ବୋଧନ କରିଥିଲେ । ଏମସିଏଏମର ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ନାୟକ ମହିଳା ଦଳର ଚାମ୍ପିଅନ ଓ ପୁରୁଷ ଦଳର ରନର୍ସଅପ ହେବା ପାଇଁ ସମସ୍ତ କ୍ରୀଡ଼ାବିତଙ୍କୁ ଅଭିନନ୍ଦନ ଜଣାଇଥିଲେ।
