ପୁରୀ: ଜାଗାବାଡ଼ି ବଣ୍ଟନକୁ କେନ୍ଦ୍ର କରି ପୁଣି ଏକ ସଂଘାତିକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ପୂର୍ବରୁ ବଡ଼ ଭାଇଙ୍କୁ ରକ୍ତାକ୍ତ କରିଥିବା ଅଭିଯୁକ୍ତ ସାନ ଭାଇ, ଏବେ ନିଜ ମା’ ଓ ଭାଉଜଙ୍କୁ ଆକ୍ରମଣ କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଚନ୍ଦନପୁର ଥାନା ଅନ୍ତର୍ଗତ ଉଆସ ସାହିରେ।ଅଭିଯୋଗ ଅନୁଯାୟୀ, ଉଆସ ସାହିର ଶିବ ନାରାୟଣ ପରିଡ଼ା ଜାଗାବାଡ଼ି ବଣ୍ଟନକୁ ନେଇ ନିଜ ମା’ ପଦ୍ମାଳୟା ପରିଡ଼ା ଓ ଭାଉଜ ସସ୍ମିତା ମହାପାତ୍ରଙ୍କୁ ସଂଘାତିକ ଆକ୍ରମଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ ୪ ବର୍ଷ ତଳେ ମଧ୍ୟ ଜାଗାବାଡ଼ି ବିବାଦକୁ କେନ୍ଦ୍ର କରି ଶିବ ନାରାୟଣ ନିଜ ବଡ଼ ଭାଇ ସତ୍ୟ ନାରାୟଣ ପରିଡ଼ାଙ୍କୁ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣି ପ୍ରାଣାନ୍ତକ ଆକ୍ରମଣ କରିଥିଲା। ପୁଅର ଏଭଳି କାଣ୍ଡ ଓ ପାରିବାରିକ ଅଶାନ୍ତି ମନକୁ ନେଇ ବାପା ଦୁଃଖ ଓ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ।ବାପାଙ୍କ ଦେହାନ୍ତକୁ ମାତ୍ର ୧୪ ଦିନ ବିତିଥିବା ବେଳେ ଏବେ ପରିବାରରେ ଶୋକାକୁଳ ପରିବେଶ ରହିଛି। ହେଲେ ଏହି ଦୁଃଖ ସମୟରେ ମଧ୍ୟ ଶିବ ନାରାୟଣ ନିଜର ବର୍ବରତା ଦେଖାଇ ମା’ ଓ ଭାଉଜଙ୍କୁ ଆକ୍ରମଣ କରିବାକୁ ପଛାଇ ନାହିଁ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ, ପୋଲିସ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି
