ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି) ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା, ଭୋଟର ତାଲିକାର ସ୍ୱତନ୍ତ୍ର ଘନିଷ୍ଠ ସଂଶୋଧନ (ଏସଆଇଆର) ପ୍ରକ୍ରିୟାକୁ ସ୍ଥଗିତ ରଖିବା ଏବଂ କାଟି ଦିଆଯାଇଥିବା ନାମଗୁଡ଼ିକୁ ପୁନଃସ୍ଥାପନ କରିବାକୁ ଦାବି କରିଛି। ଦଳ ଦାବି କରିଛି ଯେ ଏହି ପ୍ରକ୍ରିୟା ଯୋଗୁଁ ୧୩.୩୦ କୋଟି ଭୋଟରଙ୍କ ନାମ ତାଲିକାରୁ କାଟି ଦିଆଯାଇଛି। ଏକ ପ୍ରସ୍ତାବ ମାଧ୍ୟମରେ ସିଡବ୍ଲୁସି କହିଛି ଯେ ସିଇସି ନିଜର ସମସ୍ତ ନୈତିକ ଓ ସାଂସ୍ଥାଗତ କ୍ଷମତା ହରାଇ ସାରିଛନ୍ତି। ଦଳ ସେହି ତାଲିକା ସଂଶୋଧନ ପ୍ରକ୍ରିୟାର ସାମ୍ବିଧାନିକ ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି, ଯାହା ମାଧ୍ୟମରେ ଏସିଆଇଆରର ହିସାବ ଅନୁଯାୟୀ ୧୩ କୋଟି ୩୦ ଲକ୍ଷ ଭାରତୀୟଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି। ଏହି ପ୍ରସ୍ତାବରେ ତିନୋଟି ମୁଖ୍ୟ ଦାବି ରହିଛି: ପ୍ରଥମତଃ, ସିଇସିଙ୍କ ତୁରନ୍ତ ଇସ୍ତଫା; ଦ୍ୱିତୀୟତଃ, ଏସିଆରଆର ମାଧ୍ୟମରେ ପ୍ରସ୍ତୁତ ହେଉଥିବା ଭୋଟର ତାଲିକାର ନିରପେକ୍ଷତା ଓ ସ୍ୱଚ୍ଛତା ତଥା ଏସଆଇଆର ପ୍ରକ୍ରିୟାର ସାମ୍ବିଧାନିକ ବୈଧତାକୁ ନେଇ ଥିବା “ଗୁରୁତର ଚିନ୍ତାଜନକ ବିଷୟ’କୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ ରଖିବା; ଏବଂ ତୃତୀୟତଃ, ତାଲିକାରୁ ହଟାଯାଇଥିବା ୧୩.୩୦ କୋଟି ନାମକୁ ତୁରନ୍ତ ପୁନଃସ୍ଥାପନ କରିବା। ସାମ୍ବିଧାନିକ ଦୃଷ୍ଟିକୋଣରୁ ଯୁକ୍ତି ବାଢ଼ି ସିଡବ୍ଳୁସି କହିଛି ଯେ ଯେଉଁ ପ୍ରକ୍ରିୟା ନାଗରିକଙ୍କ ଉପରେ ନିଜର ଯୋଗ୍ୟତା ପ୍ରମାଣ କରିବାର ବୋଝ ଲଦି ଦିଏ, ଯାହା ସ୍ୱଚ୍ଛ ସୁରକ୍ଷା ବ୍ୟବସ୍ଥା ବିନା ତରବରିଆ ଭାବେ କାର୍ଯ୍ୟକାରୀ ହୁଏ ଏବଂ ଯାହା ଫଳରେ ସ୍ୱେଚ୍ଛାଚାରୀ ଭାବେ ବହୁ ସଂଖ୍ୟକ ଲୋକଙ୍କୁ ଭୋଟ୍ ଅଧିକାରରୁ ବଞ୍ଚିତ କରାଯାଏ, ତାହା ସମ୍ବିଧାନର ଅନୁଚ୍ଛେଦ ୧୪ ଅନ୍ତର୍ଗତ ସମାନତାର ଅଧିକାର କିମ୍ବା ଅନୁଚ୍ଛେଦ ୩୨୬ ଅନ୍ତର୍ଗତ ସାର୍ବଜନୀନ ବୟସ୍କ ମତଦାନ ଅଧିକାର ସହିତ ସମାନ୍ତରାଳ ହୋଇପାରିବ ନାହିଁ। ଏହି ପ୍ରସ୍ତାବରେ ସାମ୍ପ୍ରତିକ ରିପୋର୍ଟଗୁଡ଼ିକର “ଦେଶବ୍ୟାପୀ ଏସଆରଇଆର ସମୟରେ ନିର୍ବାଚନ ତାଲିକା ଉପରେ ନିୟନ୍ତ୍ରଣ କିଛି ନିର୍ଦ୍ଦିଷ୍ଟ ବିଜେପି-ସମର୍ôଥତ ଅଧିକାରୀଙ୍କ ହାତରେ ରହିବା, ନିର୍ବାଚନ ଆୟୋଗର ବିଶ୍ୱସନୀୟତା ଉପରେ ଚୂଡ଼ାନ୍ତ ଆଘାତ ସଦୃଶ ଅଟେ ବୋଲି ବୋଲି ଏହି ପ୍ରସ୍ତାବରେ କୁହାଯାଇଛି। ଏହା ଏହି ପ୍ରକ୍ରିୟାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ଭାବେ ବର୍ଣ୍ଣନା କରି କହିଛି ଯେ ଏହି ଖୋଲାଖୋଲି ଭୋଟ୍ ଚୋରି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଇଙ୍ଗିତରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରା ଆୟୋଜିତ ହୋଇଛି। ସେମାନଙ୍କ ଇସ୍ତଫା ବ୍ୟତୀତ ଅନ୍ୟ କୌଣସି ପଦକ୍ଷେପ ଆମ ସମ୍ବିଧାନ ଏବଂ କଷ୍ଟଲବ୍ଧ ଗଣତନ୍ତ୍ରର ସୁରକ୍ଷା ନିଶ୍ଚିତ କରିପାରିବ ନାହିଁ। କଂଗ୍ରେସ କାର୍ଯ୍ୟକାରୀ କମିଟି ଏହି ସଂଶୋଧନ ବିରୋଧରେ ଚଳାଇଥିବା ଅଭିଯାନଗୁଡ଼ିକ ବିଷୟରେ ମଧ୍ୟ ଉଲ୍ଲେଖ କରିଛି। କମିଟି କହିଛି ଯେ ଯେପର୍ଯ୍ୟନ୍ତ ଦୋଷୀଙ୍କୁ ଦଣ୍ଡ ନ ମିଳିଛି, ପ୍ରତ୍ୟେକ ନାଗରିକଙ୍କ ଭୋଟ୍ ସୁରକ୍ଷିତ ନ ରହିଛି ଏବଂ ଇସିଆଇକୁ ଏକ ସ୍ୱାଧୀନ ସାମ୍ବିଧାନିକ ସଂସ୍ଥା ଭାବେ ପୁନଃସ୍ଥାପିତ କରା ନ ଯାଇଛି ସେ ପର୍ଯ୍ୟନ୍ତ ସେମାନେ ସଂସଦ, ଅଦାଲତ ଏବଂ ରାସ୍ତାରେ ଏହି ପ୍ରସଙ୍ଗ ଉଠାଇବେ। ସିଡବ୍ଲୁସି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା, ଜୟରାମ ରମେଶ ଓ କେ.ସି. ଭେନୁଗୋପାଲ ପ୍ରମୁଖ ଯୋଗ ଦେଇଥିଲେ।
