ବାରିପଦା; ମୟୂରଭଞ୍ଜ ଜିଲ୍ଲାର ମୌଳିକ ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଯୁବପିଢ଼ିର ଭବିଷ୍ୟତ ପାଇଁ ତୁରନ୍ତ ଏବଂ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ ଦାବିରେ ଭଞ୍ଜସେନା ପକ୍ଷରୁ ଶୁକ୍ରବାର ବାରିପଦାରେ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି। ସଂଗଠନର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ଗତ ଏକ ସପ୍ତାହ ଧରି ଜିଲ୍ଲାର ବିଭିନ୍ନ ବ୍ଲକ ଓ ଉପଖଣ୍ଡ ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଥିବା ବେଳେ ଏହାର ଅଂଶସ୍ୱରୂପ ଜିଲ୍ଲାସ୍ତରୀୟ ରାଲି ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଦାମୋଦରପୁର ସ୍ଥିତ ଅରୁଣୋଦୟ କଲେଜ ସମ୍ମୁଖରୁ ଏକ ହଜାରରୁ ଊର୍ଦ୍ଧ୍ୱ ବାଇକ ଓ ୫୦ରୁ ଅଧିକ ଚାରିଚକିଆ ଯାନ ସହିତ ଆୟୋଜିତ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଧ୍ୟକ୍ଷ ସଂଜୀବ ରାଉତ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ସତ୍ୟସ୍ୱରୂପ ଦାଶ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା ଆବାହକ ରାକେଶ ବେହେରା, ଜିଲ୍ଲା ସଂଯୋଜକ ସାମନ୍ତ ଶେଖର ପାଲ, ବାରିପଦା ସହର ସଭାପତି ରାକେଶ ମହାନ୍ତି, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ଜିଲ୍ଲା ଯୁବଶାଖା କାର୍ଯ୍ୟକାରୀ ସଭାପତି ଏମଡି ରାଜା ଓ ଜିଲ୍ଲା ଛାତ୍ରଶାଖା ସଭାପତି ଦୀପକ ବେହେରାଙ୍କ ସମେତ ବିଭିନ୍ନ ଶାଖାର କର୍ମକର୍ତ୍ତା ଏବଂ ହଜାର ହଜାର ଯୁବ ଓ ଛାତ୍ର ସଂଗଠକ ଯୋଗ ଦେଇଥିଲେ। ଜିଲ୍ଲାର ମୌଳିକ ସମସ୍ୟାଗୁଡ଼ିକର ସମାଧାନ କ୍ଷେତ୍ରରେ ପ୍ରଶାସନ ପାତରଅନ୍ତର ନୀତି ଅବଲମ୍ବନ କଲେ ଭଞ୍ଜସେନା ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରିବ ବୋଲି ଚେତାବନୀ ଦେଇଛି। ଆସନ୍ତା ୧୫ ଦିନ ପରେ ପରବର୍ତ୍ତୀ ଏକ ମାସ ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଲକ, ପୌରପାଳିକା ଓ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସଂଗଠନର ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି କହିଛନ୍ତି ।
