ବାରିପଦା; ଯେଉଁଠି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା କଥା, ସେଠାରେ ନିଜ ଅଧିକାର ଓ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁରସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ଏବଂ ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ସଙ୍ଗିନ ଅଭିଯୋଗକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଅଧ୍ୟକ୍ଷ ସୁଯୋଗ କୁମାର ନାୟକଙ୍କୁ ପଦରୁ ହଟାଇବା ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ପ୍ରବଳ ଖରାରେ ପ୍ରାୟ ୧୦ କିଲୋମିଟର ପଦଯାତ୍ରା କରି ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ପରେ କୋଲକାତା ଛକ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଧାରଣା ଦେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ଅଧ୍ୟକ୍ଷ ଅସମୟରେ ବିନା ଅନୁମତିରେ ଛାତ୍ରୀନିବାସରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି। ଏଥିସହ ଛାତ୍ରୀମାନଙ୍କ ପୋଷାକ ଓ ଚରିତ୍ରକୁ ନେଇ ଅଶାଳୀନ ଟିପ୍ପଣୀ କରିବା, ସେମାନଙ୍କୁ ଅପମାନଜନକ ମନ୍ତବ୍ୟ ଦେବା ଏବଂ ମାନସିକ ନିର୍ଯାତନା ଦେବା ଭଳି ଗମ୍ଭୀର ଅଭିଯୋଗ ମଧ୍ୟ ଉଠିଛି। ସେହିପରି ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ଜାତିଗତ ଆକ୍ଷେପ କରିବା ଏବଂ ସେମାନଙ୍କ ସଂସ୍କୃତି ପ୍ରତି ଅସମ୍ମାନଜନକ ଆଚରଣ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ଛାତ୍ରଛାତ୍ରୀଙ୍କୁ ଶୌଚାଳୟ ସଫା କରିବାକୁ କୁହାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ଏହି ଘଟଣାଗୁଡ଼ିକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦୀର୍ଘଦିନ ଧରି ଅସନ୍ତୋଷ ପ୍ରକାଶ କରିଆସୁଥିବା କହିଛନ୍ତି। ସମସ୍ୟାଗୁଡ଼ିକ ସମ୍ପର୍କରେ ବାରମ୍ବାର ଜଣାଇବା ସତ୍ତ୍ୱେ ଉପଯୁକ୍ତ ସମାଧାନ ହୋଇନଥିବା ସେମାନଙ୍କ ଅଭିଯୋଗ। ଏହାର ପ୍ରତିବାଦରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଶ୍ୟାମସୁନ୍ଦରପୁରରୁ ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ପ୍ରାୟ ୧୦ କିଲୋମିଟର ପଦଯାତ୍ରା କରିଥିଲେ। ପରେ ବାଙ୍ଗିରିପୋଷି କୋଲକାତା ଛକ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଧାରଣା ଦେଇଥିଲେ। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ବହୁ ଗାଡ଼ିମୋଟର ଅଟକି ରହିବା ସହ ଯାତାୟାତ ପ୍ରଭାବିତ ହୋଇଥିଲା। ଅଧ୍ୟକ୍ଷଙ୍କୁ ପଦରୁ ହଟାଇବା, ବିଦ୍ୟାଳୟର ସମସ୍ୟାର ସମାଧାନ କରିବା ଏବଂ ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଥିଲେ। ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନ ସମ୍ପର୍କରେ ଖବର ପାଇ ପୂର୍ବତନ ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଶୁଣିଥିଲେ। ପରେ ସେ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବାରୁ ସେମାନେ ନିଜ ଜିଦ୍ରୁ ଓହରିଥିବା ଜଣାପଡ଼ିଛି। ତାଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନ ଶାନ୍ତ ପଡ଼ିଥିଲେ ମଧ୍ୟ ବିଦ୍ୟାଳୟର ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ଓ ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତକୁ ନେଇ ଛାତ୍ରଛାତ୍ରୀଙ୍କ ଦାବି ଗୁରୁତ୍ୱପୂର୍ଣ୍ଣ ରହିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅତିରିକ୍ତ ଜିଲ୍ଲାପାଳ ନେତ୍ରନନ୍ଦ ମଲ୍ଲିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଦାବିପତ୍ର ଗ୍ରହଣ କରିଥିଲେ। ଘଟଣାର ତଦନ୍ତ ପାଇଁ ଏକ ବିଭାଗୀୟ କମିଟି ଗଠନ କରାଯିବା ସହ ଅଭିଯୋଗଗୁଡ଼ିକ ସତ୍ୟ ପ୍ରମାଣିତ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ନିୟମ ଅନୁଯାୟୀ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ାଯାଇଛି। ଏକ ଆବାସିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ମୌଳିକ ସୁବିଧା ସୁନିଶ୍ଚିତ କରିବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପ୍ରମୁଖ ଦାୟିତ୍ୱ। ତେଣୁ ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଦୋଷ ପ୍ରମାଣିତ ହେଲେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ଏବେ ପ୍ରଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ପ୍ରଶାସନର ପ୍ରତିଶ୍ରୁତି କେତେ ଶୀଘ୍ର କାର୍ଯ୍ୟକାରୀ ହେଉଛି ଏବଂ ଛାତ୍ରଛାତ୍ରୀଙ୍କ ଦାବି ଉପରେ କି ପଦକ୍ଷେପ ନିଆଯାଉଛି, ତାହା ଦେଖିବାକୁ ବାକି ରହିଲା ।
