ପୁରୀ: ପୁରୀ ସଦର ବ୍ଲକ୍ କେରାଣ୍ଡିପୁର ପଞ୍ଚାୟତ ଶାଖା ଡାକଘରର ପୋଷ୍ଟ ମାଷ୍ଟର ଆଲୋକ ବେହେରାଙ୍କୁ ବୀଚ୍ ବଜାରରେ ସାର୍ବଜନୀନ ଭାବେ ମାଡ଼ ମରାଯିବା ସହ ଚାକିରିରୁ ନିଲମ୍ବିତ କରାଯାଇଥିବା ଭଳି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ପୋଷ୍ଟାଲ ଓଭରସିୟର ଲିଙ୍ଗରାଜ ସାହୁ ତାଙ୍କୁ ରାସ୍ତା ମଝିରେ ମାଡ଼ ମାରିବା ସହ ଜାତିଗତ ଆକ୍ଷେପ କରିଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କେରାଣ୍ଡିପୁର ଶାଖା ଡାକଘରର ପୋଷ୍ଟ ମାଷ୍ଟର ଆଲୋକ ବେହେରା କେବଳ ନାମକୁ ମାତ୍ର ପୋଷ୍ଟ ମାଷ୍ଟର ଦାୟିତ୍ୱରେ ଥିଲେ। ସେ ନିଜେ ଗାଁ ଗାଁ ବୁଲି ଚିଠି ବାଣ୍ଟିବା କାର୍ଯ୍ୟ ମଧ୍ୟ ସମ୍ପାଦନ କରୁଥିଲେ। ତେବେ ଫୋନ୍? ନ ଉଠାଇବା କାରଣରୁ ପୋଷ୍ଟାଲ ଓଭରସିୟର ଲିଙ୍ଗରାଜ ସାହୁ ଉତ୍ତ୍ୟକ୍ତ ହୋଇ ବଜାର ଉପରେ ଲୋକଙ୍କ ସମ୍ମୁଖରେ ଆଲୋକଙ୍କୁ ମାଡ଼ ମାରିବା ସହ “ଛୋଟ ଜାତି’ କହି ଆକ୍ଷେପ କରିଥିବା କୁହାଯାଇଛି। ଏହା ସହିତ ତାଙ୍କୁ ଚାକିରିରୁ ନିଲମ୍ବିତ (ସସପେଣ୍ଡ) ମଧ୍ୟ କରିଦିଆଯାଇଛି। ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଆଲୋକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ତାଙ୍କ ପରିବାର ଲୋକେ ପୁରୀ ଡାକଘର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି। ପୋଲିସ ଓ ଡାକ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
