ବାରିପଦା; ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଏମସି ପୁରୀ କୋଷ୍ଟାଲ ମାରାଥନ ପକ୍ଷରୁ ବାରିପଦା ଠାରେ ଓଡ଼ିଶା ପ୍ରୋମୋ ରନ – ଆୟୋଜିତ ହୋଇଯାଇଛି। ରାଜ୍ୟର ପର୍ଯ୍ୟଟନ ସ୍ଥଳୀ, ସଂସ୍କୃତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ୩୦ରୁ ଅଧିକ ସହରରେ ଚାଲିଥିବା ଏହି ଅଭିଯାନର ଏକ ପ୍ରମୁଖ ଅଂଶ ଭାବେ ବାରିପଦାରେ ୫ କିଲୋମିଟର ବିଶିଷ୍ଟ ଏହି ଦୌଡ଼ର ଆୟୋଜନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହିମାଂଶୁ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ହେମକାନ୍ତ ସୟ ଏହି ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଦୌଡ଼ ବାରିପଦା ଜୁବୁଲି ଲାଇବ୍ରେରୀରୁ ଆରମ୍ଭ ହୋଇ ବାଲେଶ୍ୱର ଗୋଲେଇ, ଜଗନ୍ନାଥ ମନ୍ଦିର, ବଡ଼ବଜାର, ମା’ ଅମ୍ବିକା ମନ୍ଦିର, ବିଜୁ ପଟ୍ଟନାୟକ ଗୋଲେଇ ଓ ବାଣ୍ଠୀଆ ଜଗନ୍ନାଥ ମନ୍ଦିର ଦେଇ ପୁଣି ଜୁବୁଲି ଲାଇବ୍ରେରୀଠାରେ ଶେଷ ହୋଇଥିଲା ।
