ବାଲୁଗାଁ: ରବିବାର ଦିନ ଟାଙ୍ଗୀ ଅବକାରୀ ଅଧୀକ୍ଷକ ଅଜିତ ପାତ୍ରଙ୍କ ତତ୍ତ୍ୱାବଧାନରେ ଓ ବାଲୁଗାଁ ରେଳ ସୁରକ୍ଷା ବଳ ପୋଲିସ ସହଯୋଗରେ ଷ୍ଟେସନ ରୋଡ ନିକଟରୁ ୨୦.୫ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ।ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ରବୀନ୍ଦ୍ର ନଗର ଥାନା ଅନ୍ତର୍ଗତ ମାହେସ୍ଥଳ ଗ୍ରାମର ଅଭୟ ନାରାୟଣ ସିଂହଙ୍କ ପୁଅ ଅଭିଷେକ କୁମାର ସିଂହ (୨୪) ବୋଲି ଜଣାପଡ଼ିଛି।ସୂଚନା ମୁତାବକ ରବିବାର ପୂର୍ବାହ୍ନରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ଟିମ ଓ ରେଳ ସୁରକ୍ଷା ବଳ ପୋଲିସ ପକ୍ଷରୁ ଷ୍ଟେସନ ରୋଡରେ ଅଚାନକ ଚଢ଼ାଉ କରାଯାଇଥିଲା।ଚଢ଼ାଉ ବେଳେ ପଶ୍ଚିମବଙ୍ଗର ଅଭିଷେକ କୁମାର ସିଂହଙ୍କ ଠାରୁ ଏକ ଜରି ବସ୍ତାରୁ ୨୦.୫ କେଜି ଗଞ୍ଜେଇ ଜବତ କରାଯାଇଥିଲା।ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୭୩/୨୬-୨୭ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ସୋମ୍ୟ ରଞ୍ଜନ ବେହେରା କହିଛନ୍ତି।ଅଭିଯୁକ୍ତ ଜଣକ ଟ୍ରେନ୍ ଯୋଗେ ଗଞ୍ଜେଇ କୋଲକାତାକୁ ନେଇ ଯାଉଥିବା ଜଣାପଡ଼ିଛି।
