ହିନ୍ଦୋଳ: ଜଣେ ଚାଷୀ ଧାନକ୍ଷେତ ଜଗିବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଜୟପଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ହିନ୍ଦୋଳ ବନାଞ୍ଚଳ ହାତୁରା ପଞ୍ଚାୟତ ଅନ୍ତର୍ଗତ ଜୟପଙ୍ଗା ଗ୍ରାମର ସ୍ୱପ୍ନେଶ୍ୱର ବିଶ୍ୱାଳ(୫୫) ଗତକାଲି ସନ୍ଧ୍ୟାରେ ଧାନକ୍ଷେତ ଜଗିବାକୁ ଯାଇଥିବାବେଳେ ଘରକୁ ଫେରିନଥିଲେ। ବିଳମ୍ବ ହେବାରୁ ପରିବାରଲୋକେ ଖୋଜାଖୋଜି କରିବା ପରେ ଦେଖିବାକୁ ପାଇଥିଲେ କି ଏକ ଦନ୍ତାହାତୀ ତାଙ୍କୁ ଧାନକ୍ଷେତରେ ଦଳିଚକଟି ପୋତି ଦେଇଛି। ହାତୀ ତାଙ୍କୁ ମାରିବା ପରେ ମଧ୍ୟ ସେହିସ୍ଥାନ ଛାଡ଼ିଯାଇନଥିଲା। ଘଉଡାଇବାପରେ ବହୁ ବିଳମ୍ବରେ ହାତୀ ସେଠାରୁ ଯାଇଥିଲା। ତେବେ ପୋଷ୍ଟମର୍ଟମ ପାଇଁ ତାଙ୍କୁ ହିନ୍ଦୋଳ ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଯାଇଥିଲା। ସେହି ଅଞ୍ଚଳରେ ଲଗାତାର ହାତୀ ଆକ୍ରମଣକୁ ନେଇ ଲୋକମାନଙ୍କ ମନରେ କୋକୁଆଭୟ ସୃଷ୍ଟି ହୋଇଛି। ସନ୍ଧ୍ୟା ହେଲେ ଲୋକମାନେ ପଦାକୁ ବାହାରିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି।
