ଖପ୍ରାଖୋଲ: ହସଖୁସିରେ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବା ଜଣେ ୨୦ ବର୍ଷୀୟ ଯୁବକଙ୍କ ଜୀବନ ଅକାଳରେ ନିର୍ବାପିତ ହୋଇଛି। ମାଛ ଧରିବା ପାଇଁ ପାଣି ଭିତରେ ପକାଯାଇଥିବା ଝଲା ଫାସରେ ଫସି ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଥିବା ଘଟଣା ଖପ୍ରାଖୋଲ ଥାନା ଅନ୍ତର୍ଗତ ଓଡ଼ିଆପାଲି ଗ୍ରାମରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଓଡ଼ିଆପାଲି ଗ୍ରାମର ଲମ୍ବୋଧର ମାଝୀଙ୍କ ପୁଅ ତୁଫାନ ମାଝୀ (୨୦) ରବିବାର ଦିନ ପ୍ରାୟ ୧୨ଟା ସମୟରେ ଗାଁର ୬ରୁ ୭ ଜଣ ସାଙ୍ଗଙ୍କ ସହ ନିକଟସ୍ଥ ମଗରଧରା ଜୋରକୁ ଗାଧୋଇବା ପାଇଁ ଯାଇଥିଲେ। ତୁଫାନଙ୍କ ସହ ଆଉ ଦୁଇଜଣ ସାଙ୍ଗ ପାଣିର ଧାରାରେ ପହଁରି ଗାଧୋଇବାର ଆନନ୍ଦ ନେଉଥିଲେ। ଏହି ସମୟରେ ତୁଫାନ ଶୌଚ ପାଇଁ ଯିବାକୁ କହି ସାଙ୍ଗମାନଙ୍କଠାରୁ କିଛି ଦୂରକୁ ଯାଇଥିଲେ। ସେ ବହୁଥିବା ପାଣିରେ ଆଗକୁ ଯାଇଥିବା ବେଳେ ମାଛ ଧରିବା ପାଇଁ ପାଣି ଭିତରେ କେହି ଜଣେ ପକାଇଥିବା ଝଲା ଫାସରେ ଫସି ଯାଇଥିବା ଅନୁମାନ କରାଯାଉଛି। ପାଣିର ପ୍ରବଳ ସ୍ରୋତ ମଧ୍ୟରେ ଫାସରେ ଛନ୍ଦି ଯାଇଥିବାରୁ ସେ ନିଜକୁ ମୁକୁଳାଇ ପାରିନଥିବା ସୂଚନା ମିଳିଛି।

ତୁଫାନ ଦୀର୍ଘ ସମୟ ଧରି ଗାଧୋଇବା ସ୍ଥାନକୁ ନଫେରିବାରୁ ସାଙ୍ଗମାନେ ଚିନ୍ତିତ ହୋଇ ତାଙ୍କୁ ଖୋଜାଖୋଜି କରିଥିଲେ। ଶେଷରେ ପାଣି ଭିତରେ ଫାସରେ ଫସିଥିବା ଅବସ୍ଥାରେ ତୁଫାନଙ୍କୁ ଦେଖି ତାଙ୍କୁ ଫାସରୁ ମୁକୁଳାଇ ବାହାରକୁ ଆଣିଥିଲେ। ଘଟଣା ସମ୍ପର୍କରେ ଖପ୍ରାଖୋଲ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରୁ ତୁଫାନଙ୍କୁ ଉଦ୍ଧାର କରି ତୁରନ୍ତ ଖପ୍ରାଖୋଲ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ପରୀକ୍ଷା କରି ତୁଫାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅକାଳ ମୃତ୍ୟୁରେ ପରିବାର ଲୋକଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ିଥିବା ବେଳେ ଓଡ଼ିଆପାଲି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମାତ୍ର ୨୦ ବର୍ଷ ବୟସରେ ତୁଫାନଙ୍କ ଏଭଳି ଦୁଃଖଦ ମୃତ୍ୟୁ ପରିବାର ଓ ସାଙ୍ଗସାଥୀଙ୍କୁ ସ୍ତବ୍ଧ କରିଦେଇଛି। ଏନେଇ ଖପ୍ରାଖୋଲ ଥାନାରେ ୟୁଡି କେସ୍ ନଂ-୧୧/୨୦୨୬ ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି।
