ନୂଆଦିଲ୍ଳୀ: ରବିବାର ଦିନ ନାଗୋୟା ଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାର ଫାଇନାଲ୍ ମ୍ୟାଚ୍ରେ ନିଜ ନିଜର ମାଲେସୀୟ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାଜିତ ହେବା ପରେ ଭାରତୀୟ ସ୍କ୍ୱାଶ୍ ତାରକା ଅନାହତ ସିଂହ ଏବଂ ଅଭୟ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଅଭୟ, ଇନ୍ ୟୋ ଙ୍ଗ୍ଙ୍କ ଦକ୍ଷତା ଓ ନିରନ୍ତର ପ୍ରଦର୍ଶନର ମୁକାବିଲା କରିପାରିନଥିଲେ ଏବଂ ସିଧାସଳଖ ଗେମ୍?ରେ ୯-୧୧, ୫-୧୧, ୫-୧୧ ବ୍ୟବଧାନରେ ପରାଜିତ ହୋଇଥିଲେ। ୧୮ ବର୍ଷୀୟା ଅନାହତଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା; ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ମାଲେସିଆର ଶିବସଙ୍ଗରୀ ସୁବ୍ରମଣ୍ୟମ ତାଙ୍କୁ ସ୍ପଷ୍ଟ ଭାବେ ପରାସ୍ତ କରିଥିଲେ। ବିଶ୍ୱର ପଞ୍ଚମ ସ୍ଥାନରେ ଥିବା ଖେଳାଳିଙ୍କ ବିପକ୍ଷରେ ୧୭ତମ ସ୍ଥାନରେ ଥିବା ଭାରତୀୟ ଖେଳାଳି ଜଣକ ୪-୧୧, ୪-୧୧, ୭-୧୧ ସ୍କୋରରେ ହାରିଯାଇଥିଲେ। ଏସୀୟ କ୍ରୀଡ଼ାରେ ନିଜ ସ୍ୱର୍ଣ୍ଣ ପଦକ ବଜାୟ ରଖିବା ସହିତ, ୟୋ ଏବଂ ଶିବସଙ୍ଗରୀ ଉଭୟ ୨୦୨୮ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ସ୍କ୍ୱାଶ୍ର ପଦାର୍ପଣ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ପ୍ରଥମ ଦୁଇଜଣ ଖେଳାଳି ହୋଇପାରିଛନ୍ତି। ବିଶ୍ୱ ଜୁନିୟର ଟାଇଟଲ୍ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ଅନାହତ, ଶନିବାର ଦିନ ଜାପାନର ବିଶ୍ୱର ଷଷ୍ଠ ସ୍ଥାନରେ ଥିବା ସାତୋମି ୱାଟାନାବେଙ୍କ ବିପକ୍ଷରେ ଯେପରି ପ୍ରତ୍ୟାବର୍ତ୍ତନ କରିଥିଲେ, ଏଠାରେ ସେପରି କରିପାରିନଥିଲେ। ଅନାହତ ଓ ସାତୋମିଙ୍କ ମଧ୍ୟରେ ହୋଇଥିବା ସେମିଫାଇନାଲ୍ ମ୍ୟାଚ୍?କୁ ନିକଟରୁ ଲକ୍ଷ୍ୟ କରିବା ପରେ, ଶିବସଙ୍ଗରୀ ଏକ ସ୍ପଷ୍ଟ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ତାହାକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ। ମାଲେସୀୟ ଖେଳାଳି ଜଣକ ଅନାହତଙ୍କୁ କ୍ରମାଗତ “ୱିନ’ର୍ (ନିର୍ଣ୍ଣାୟକ ପଏଣ୍ଟ) ହାସଲ କରିବାକୁ ସୁଯୋଗ ଦେଇନଥିଲେ ଏବଂ ବରଂ ନିରନ୍ତର ଆକ୍ରମଣ ଜାରି ରଖି ଚାପ ସୃଷ୍ଟି କରିଥିଲେ।
