ବାରିପଦା ; ବାରିପଦାସ୍ଥିତ ଚଜଗ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ରେ ବିଳମ୍ବ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ହେଲେ ଝାରପୋଖରିଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଅଜିତ ନାଏକଙ୍କ ସ୍ତ୍ରୀ ସଙ୍ଗୀତା ନାଏକ (୨୭)। ମୃତ ସଙ୍ଗୀତା ଙ୍କ ମାଆ ଓ ଭାଇଙ୍କ ଅଭିଯୋଗ ଅନୁଯାୟୀ, ସଙ୍ଗୀତାଙ୍କ ହଠାତ୍ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ସେ ପ୍ରବଳ ଯନ୍ତ୍ରଣାରେ ଥିବା ସହ ଦୁଇ ଗୋଡ଼ ଅଚଳ ହୋଇଯାଇଥିବା ପରିବାର ପକ୍ଷରୁ କୁହାଯାଇଛି। ତାଙ୍କୁ ପ୍ରଥମେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରୀକ୍ଷା ପରେ ରକ୍ତର ପରିମାଣ ଅତ୍ୟନ୍ତ କମ୍ ଥିବା ଜଣାପଡ଼ିଥିବା ପରିବାର ପକ୍ଷରୁ କୁହା ଯାଇଛି । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ଚଜଗ ମେଡିକାଲକୁ ରେଫର୍ କରାଯାଇଥିଲା। ପରିବାର ବର୍ଗ ତାଙ୍କୁ ଶୁକ୍ରବାର ସନ୍ଧ୍ୟା ସମୟରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମୃତ ସଙ୍ଗୀତାଙ୍କ ଭାଇ ଆଶିଷ ନାଏକଙ୍କ ଅଭିଯୋଗ ଅନୁଯାୟୀ, ରକ୍ତର ପରିମାଣ କମ୍ ଥିବାରୁ ତୁରନ୍ତ ରକ୍ତ ଦେବାକୁ ସେମାନେ ଅନୁରୋଧ କରିଥିଲେ।

ଆବଶ୍ୟକ ହେଲେ ନିଜେ ରକ୍ତ ଯୋଗାଡ଼ କରିବାକୁ ମଧ୍ୟ ପରିବାର ପ୍ରସ୍ତୁତ ଥିବା ସେ କହିଛନ୍ତି। ତେବେ ପରିବାରର ଅଭିଯୋଗ ହେଉଛି, ରାତିରେ ରକ୍ତ ଦିଆଯାଇପାରିବ ନାହିଁ ବୋଲି ସେମାନଙ୍କୁ କୁହାଯାଇଥିଲା। ରାତିସାରା ସଙ୍ଗୀତା ଯନ୍ତ୍ରଣାରେ ଥିବାବେଳେ ପରିବାର ଚିକିତ୍ସା ପାଇଁ ଡାକ୍ତରଙ୍କ ଅପେକ୍ଷା କରିଥିଲେ । ଡାକ୍ତର ଜଣେ ଜରୁରୀ କାଳୀନ ଅବସ୍ଥାରେ ରୋଗୀଙ୍କୁ ଦେଖିବାକୁ ମଧ୍ୟ ଆସି ନ ଥିଲେ। ପରେ ସକାଳ ସମୟରେ ଡାକ୍ତର ଆସି ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲେ। ଏହି ଘଟଣାକୁ ନେଇ ସଙ୍ଗୀତାଙ୍କ ପରିବାର ଚିକିତ୍ସା ବିଳମ୍ବ ଏବଂ ଆବଶ୍ୟକ ସମୟରେ ରକ୍ତ ଯୋଗାଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସମୟରେ ଆବଶ୍ୟକ ଚିକିତ୍ସା ମିଳିଥିଲା କି ନାହିଁ, ରକ୍ତ ଯୋଗାଣରେ କୌଣସି ବିଳମ୍ବ ହୋଇଥିଲା କି ନାହିଁ ଏବଂ ମୃତ୍ୟୁର ପ୍ରକୃତ କାରଣ କ’ଣ ଏସବୁର ନିରପେକ୍ଷ ତଦନ୍ତ ଦାବି କରିଛି ପରିବାର। ସଙ୍ଗୀତାଙ୍କ ମୃତ୍ୟୁ ପରେ ତାଙ୍କ ୩ ବର୍ଷର ଶିଶୁପୁତ୍ର ମାଆ ଛେଉଣ୍ଡ ହୋଇଛି। ଏପଟେ ଝିଅକୁ ହରାଇ ପରିବାର ଶୋକରେ ଭାଙ୍ଗିପଡ଼ିଛି। ଭାଇ ଆଶିଷ ନାଏକ ଘଟଣାର ସଠିକ୍ ତଦନ୍ତ କରି ପ୍ରକୃତ କାରଣ ସାମ୍ନାକୁ ଆଣିବା ସହ ଯଦି କାହାର ଅବହେଳା ପ୍ରମାଣିତ ହୁଏ, ତେବେ ନିୟମ ଅନୁଯାୟୀ ଜବାବଦେହିତା ନିର୍ଦ୍ଧାରଣ କରିବାକୁ ଦାବି କରିଛନ୍ତି। ତେବେ ଏହି ଅଭିଯୋଗ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନାହିଁ।
